ଫିଲିପାଇନ୍ସରେ ତାଣ୍ଡବ ରଚିଲା ‘ରାଇ’

ମାନିଲା,୧୮।୧୨: ପ୍ରଳୟଙ୍କରୀ ବାତ୍ୟା ପ୍ରଭାବରେ କେନ୍ଦ୍ରୀୟ ଫିଲିପାଇନ୍ସରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାତ୍ୟାରେ ୩୧ ଜଣଙ୍କ ଜୀବନ ଯାଇଛି। ଏପରିକି ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହେବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଦକ୍ଷିଣ ଚାଇନା ସାଗରରେ ସୃଷ୍ଟ ବାତ୍ୟା ‘ରାଇ’ ଗୁରୁବାର ରାତିରେ ଫିଲିପାଇନ୍ସ ଉପକୂଳ ଛୁଇଁବା ସହ ଦକ୍ଷିଣ ଓ କେନ୍ଦ୍ରୀୟ ଦ୍ୱୀପ ପ୍ରଦେଶଗୁଡ଼ିକରେ ତାଣ୍ଡବ ରଚିଥିଲା। ଏହାର ପ୍ରଭାବରେ ୧୯୫ କିଲୋମିଟର ବେଗରେ ପବନ ବହିବା ସହ ମଝିରେ ମଝିରେ ପବନର ବେଗ ୨୭୦ କିଲୋମିଟର ଛୁଇଁଥିଲା। ପ୍ରଶାନ୍ତ ମହାସାଗର ଓ ଦକ୍ଷିଣ ଚାଇନା ସାଗର ମଧ୍ୟବର୍ତ୍ତୀ ଅଞ୍ଚଳରେ ଏଭଳି ଭୟଙ୍କର ବାତ୍ୟା ନିକଟ ଅତୀତରେ କେବେ ଦେଖାଦେଇ ନ ଥିଲା। ବାତ୍ୟା ପୂର୍ବରୁ ୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ବିଦ୍ୟୁତ୍‌ ସଂଯୋଗ ଓ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ବାତ୍ୟା ସ୍ଥଳଭାଗ ଛୁଇଁବାର ଦୁଇଦିନ ପରେ ମଧ୍ୟ କ୍ଷୟକ୍ଷତିର ସବିଶେଷ ତଥ୍ୟ ମିଳିପାରି ନାହିଁ। ତେବେ ବାତ୍ୟା ଯୋଗୁ ଡିନାଗାଟ୍‌ ଆଇଲାଣ୍ଡ ମାଟିରେ ମିଶିଯାଇଥିବା ଏହାର ଗଭର୍ନର ଆର୍ଲେନେ ବାଗ-ଆଓ ସରକାରୀ ଓ୍ବେବ୍‌ସାଇଟ୍‌ରେ ଏକ ବିବୃତି ପୋଷ୍ଟ କରିଛନ୍ତି। ବାତ୍ୟା ବିପନ୍ନଙ୍କୁ ତୁରନ୍ତ ଖାଦ୍ୟ, ପାନୀୟ ଜଳ, ଅସ୍ଥାୟୀ ଆଶ୍ରୟ ଏବଂ ଔଷଧ ଯୋଗାଇଦେବା ଲାଗି ସେ ନିବେଦନ କରିଛନ୍ତି।

Share