ବରଗଡ଼ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିକଳ ଚିତ୍ର; ବିଦ୍ୟୁତସେବା ବ୍ୟାହତ, ରୋଗୀ ହନ୍ତସନ୍ତ

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍ବାସ୍ଥ୍ୟସେବା ଭୁଷୁଡ଼ି ପଡ଼ିଛି। ଏହା ନୂଆଁ କଥା ନୁହେଁ। ବର୍ଷବର୍ଷ ଧରି ଏଠାରେ ଏହି ସମସ୍ୟା ଲାଗି ରହିଛି। ଡାକ୍ତର ଏବଂ ଅନ୍ୟ ବିଭାଗୀୟ କର୍ମଚାରୀ ପଦବୀ ଖାଲି ପଡ଼ିବା ସାଧାରଣରେ ପରିଣତ ହୋଇ ପଡ଼ିଛି। ସେହିପରି ବିଭିନ୍ନ ଆନୁସଙ୍ଗିକ ସୁବିଧା ମଧ୍ୟ ଅପହଞ୍ଚ ହୋଇ ପଡ଼ୁଛି । କେତେବେଳେ କାର୍ଡ଼ବୋର୍ଡ଼ରେ ହାଡ଼ଭଙ୍ଗା ରୋଗୀଙ୍କ ଚିକିତ୍ସା ତ ଆଉକେବେ ବିଦ୍ୟୁତ ସେବା ବ୍ୟାହତ ଯୋଗୁ ମୋବାଇଲ ଫୋନ୍‌ ଆଲୁଅ ସହାୟତାରେ ଚିକିତ୍ସା ଚାଲିବା ନଜୀର ରହିଛି। ସେହି ଘଟଣା ଏବେ ମଧ୍ୟ ଲୋକଙ୍କ ଆଖିରୁ ଲିଭି ନଥିବାବେଳେ ତାକୁ ନେଇ ଚର୍ଚ୍ଚା ମଧ୍ୟ ଥମି ନାହିଁ। ଅନ୍ୟପଟେ ସୋମବାର ଜିଲା ସଦର ମହକୁମା ତଥା ବରଗଡ଼ ସହରସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉ ଏକ ବିକଳ ଚିତ୍ର ଦେଖିବାକୁ ମିଳିଥିଲା। ଦୀର୍ଘ ୩ଘଣ୍ଟା ଧରି ବିଦ୍ୟୁତ ସରବରାହ ବ୍ୟାହତ ହୋଇ ପଡ଼ିବା ଏବଂ ଜେନେରେଟର ମଧ୍ୟ କାମ ନ କରିବାରୁ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧିନ ରୋଗୀଙ୍କୁ ତାତି, ଗୁଳଗୁଳିରୁ କଲବଲ ହେବାକୁ ପଡ଼ିଥିଲା।
ସ୍ବାସ୍ଥ୍ୟକେନ୍ଦ୍ରରେ ଅନେକ ରୋଗୀ ଚିକିତ୍ସାଧିନ ହେଉଥିଲେ। କାହା ହାତରେ ସାଲାଇନ ଲାଗିଥିଲା ତ ଆଉ କେହି ବେଡ୍‌ରେ ବିଶ୍ରାମ ନେଇଥିଲେ। ଡାକ୍ତରଖାନାର ଉଭୟ ମହିଳା, ପୁରୁଷ ୱାର୍ଡ଼ରେ ରୋଗୀମାନେ ଏଭଳି ରହିଥିଲେ।

ମାତ୍ର ଦିନବେଳା ହଠାତ୍‌ ବିଦ୍ୟୁତ ସରବରାହ ବ୍ୟାହତ ହୋଇ ପଡ଼ିଥିଲା। ସ୍ବାସ୍ଥ୍ୟକେନ୍ଦ୍ର ଛାତରେ ଘୂରୁଥିବା ପଙ୍ଖା ବନ୍ଦ ହୋଇ ଯାଇଥିଲା। ଜେନେରେଟରରେ ବିଦ୍ୟୁତ ସଂଯୋଗ କରାଯିବ ଏବଂ ପୁଣି ପଙ୍ଖା ଘୂରିବ ବୋଲି ରୋଗୀ ଏବଂ ସେମାନଙ୍କ ଆଟେଣ୍ଡାଣ୍ଟମାନେ ଭାବିଥିଲେ। ହେଲେ ଜେନେରେଟର ବି କାମ କଲା ନାହିଁ ଏବଂ ଦୀର୍ଘ ଘଣ୍ଟା ଧରି ଗୁଳଗୁଳିରେ ରୋଗୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଭିତରେ ରହିବାକୁ ପଡ଼ିଲା। ରୋଗୀଙ୍କ ପାଖରେ ତାଙ୍କ ଆଟେଣ୍ଟେଣ୍ଟ ମାନଙ୍କ ମଧ୍ୟରୁ କେହି ଗାମୁଛା, ଓଢ଼ଣୀ ବୁଲାଇ ପବନ ଦେଉଥିଲେ ତ ଆଉ କେହି ବିଞ୍ଚଣା ବୁଲାଉ ଥିଲେ। ସେହିପରି ଅନେକ ବେଡ୍‌ରୁ ଉଠି ବାହାରକୁ ମଧ୍ୟ ଚାଲି ଆସିଥିଲେ। ଡାକ୍ତରଖାନା ବାହାରକୁ ଆସିଲେ ମଧ୍ୟ କୌଣସି ନିସ୍ତାର ମିଳି ନଥିଲା। ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧିନ ଥିବା ଭେଡ଼େନ ବ୍ଲକ ରେଶମ ଗ୍ରାମର ରୁଦ୍ର ଭୋଇ କହିଥିଲେ, ଦେହ ଅସୁସ୍ଥ ହେବାରୁ ବେଡ୍‌ରେ ପଡ଼ିଛି। ୨/୩ଘଣ୍ଟା ହୋଇ ଗଲାଣି, ବିଦ୍ୟୁତ ସେବା ନାହିଁ। ସେହିପରି ଅନ୍ୟଜଣେ ରୋଗୀ କହିଥିଲେ, ଦେହ ଅସୁସ୍ଥ ଥିବା ଯୋଗୁ ଡାକ୍ତରଖାନାକୁ ଆସିଥିଲି। ଡାକ୍ତର ସାଲାଇନ ଲଗାଇଲେ। ବେଡ୍‌ରେ ଥିଲି, ଲାଇନ ପଲାଇ ଗଲା ଯେ ଆଉ ଆସିଲା ନାହିଁ। ବେଡ୍‌ରୁ ଉଠି ବାହାରକୁ ଆସିଛି। ଏଭଳି ହେଲେ ସାଲାଇନ ନେଲେ ମଧ୍ୟ ଆଉ କଣ କାମ କରିବ ବୋଲି ସେ କହିଥିଲେ।
ରଗଡ଼ ସହର ପେଣ୍ଠସ୍ଥଳୀରେ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଏହା ପୂର୍ବରୁ ଜିଲା ମୁଖ୍ୟ ଡାକ୍ତରଖାନାଭାବେ ରହିଥିଲା। ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)କୁ ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର ହେବା ପରେ ଏହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ ହୋଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ କେବଳ ବରଗଡ଼ ସହର ନୁହେଁ, ସହର ସମେତ ଆଖପାଖ ବିଭିନ୍ନ ଗ୍ରାମ ସମେତ ଜିଲା ତଥା ଜିଲା ବାହାର ଲୋକେ ମଧ୍ୟ ପୂର୍ବଭଳି ନିର୍ଭର କରି ଆସୁଛନ୍ତି। ଫଳରେ ମୁ୍ଖ୍ୟ ଡାକ୍ତରଖାନାରୁ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ଖସିଥିଲେ ମଧ୍ୟ ଏଠାରେ ରୋଗୀଙ୍କ ସଂଖ୍ୟା କମିବାର ନାଁ ନେଉ ନାହିଁ। କିନ୍ତୁ ଆଗଭଳି ଏଠାରେ ଆଉ ସ୍ବାସ୍ଥ୍ୟସେବା ଉପଲବ୍ଧ ହେଉ ନଥିବା ଲୋକେ ଅଭିଯୋଗ କରୁଥିବାବେଳେ ସୋମବାର ଦୀର୍ଘ ସମୟ ଧରି ବିଦ୍ୟୁତ କାଟ୍‌ ଜ୍ୱଳନ୍ତ ଦୃଷ୍ଟାନ୍ତ ହୋଇ ପଡ଼ିଛି।

ତେବେ କେବଳ ଏହି ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା ଏଭଳି, ତାହା ନୁହେଁ। ଜିଲାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି ମୁଖ୍ୟ ଡାକ୍ତରଖାନା ପର୍ଯ୍ୟନ୍ତ ସବୁଠି ବିଭିନ୍ନ ସମୟରେ ରୋଗୀଙ୍କୁ ଏଭଳି ହଟହଟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଖୋଦ୍‌ ସ୍ବାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ବରଗଡ଼ ଜିଲା ପ୍ରଭାରୀ ଥିବାବେଳେ ଏଠାରେ ଏଭଳି ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଆହୁରି ଚର୍ଚ୍ଚାର ବିଷୟ ହୋଇଛି। କେବଳ ସେତିକି ନୁହେଁ, ବିଭିନ୍ନ ସମୟରେ ସଭା, ସମିତି ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବରଗଡ଼ ବିକାଶମୁହାଁ ହେଉଥିବା ନେଇ ଶାସକ ଦଳର ନେତାମନ୍ତ୍ରୀମାନେ ବାହାସ୍ଫୋଟ ମାରୁଛନ୍ତି। ହେଲେ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଦେଖାଯାଉଥିବା ଏଭଳି ବିକଳ ଚିତ୍ରରୁ ବରଗଡ଼ ଆଜି କେତେ ବିକଶିତ ତାହା, ସହଜରେ ଅନୁମେୟ ବୋଲି ସାଧାରଣରେ ଆଲୋଚିତ ହେଉଛି। ଏପରିକି ଲୋକେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ଏଥିପ୍ରତି ବିରୋଧୀ ଦଳ ନେତାଙ୍କ ନୀରବତା ମଧ୍ୟ ସେମାନଙ୍କ ଅପାରଗତାକୁ ପଦାରେ ପକାଇ ଦେଇଛି ବୋଲି ଚର୍ଚ୍ଚା ଜୋର୍‌ ଧରୁଛି।

 

Dharitri – Odisha’s No.1 Odia Daily

Share
Tags: bargarh news