Categories: ଜାତୀୟ

ମୁମ୍ବାଇରେ ବିଦ୍ୟୁତ୍‌ ସେବା ଠପ୍‌: ଅଟକିଲା ଲୋକାଲ ଟ୍ରେନ୍‌, ମେଟ୍ରୋ; ଶାନ୍ତି ବଜାୟ ରଖିବାକୁ ସମସ୍ତଙ୍କୁ ନିବେଦନ କଲେ ବିଗ୍‌ ବି

ମୁମ୍ବାଇ,୧୨।୧୦: ଗୋଟିଏ ପଟେ ଗତ କିଛି ମାସରୁ କରୋନା ଭାଇରସ୍‌ ମୁମ୍ବାଇରେ ଆତଙ୍କ ଖେଳାଇଥିବା ବେଳେ ଏବେ ଏଠାରେ ବିଦ୍ୟୁତ୍‌ ସରବରାହ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସୋମବାର ସକାଳେ ଗ୍ରୀଡ୍‌ ଫେଲ୍‌ ହୋଇଯିବାରୁ ମୁମ୍ବାଇର ଅନେକ ଅଞ୍ଚଳରେ ବିଦ୍ୟୁତ ସରବରାହ ଠପ୍‌ ହୋଇଯାଇଛି। ଫଳରେ ଜନସାଧାରଣ ଏକପ୍ରକାର ହନ୍ତସନ୍ତ ହେଉଥିବା ବେଳେ ଲୋକାଲ ଟ୍ରେନ ଓ ମେଟ୍ରୋ ସେବା ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁଁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ରେଲଓ୍ବେ ଟ୍ରାକ୍‌ରେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି। ଏହାର ପ୍ରଭାବ ମୁମ୍ବାଇର ଟ୍ରାଫିକ୍‌ରେ ମଧ୍ୟ ନଜର ଆସିଛି।

ସୂଚନାଯୋଗ୍ୟ, ମୁମ୍ବାଇ ଟାଉନସିପରେ ଥିବା ବିଦ୍ୟୁତ ଯୋଗାଣ କମ୍ପାନୀ ବେଷ୍ଟର କହିବା ଅନୁସାରେ ଟାଟା ପାଓ୍ବାରର ବିଦ୍ୟୁତ୍‌ ଯୋଗାଣରେ ବାଧା ଉପୁଜିବାରୁ ଏଭଳି ସମସ୍ୟା ଦେଖାଦେଇଛି। ମୁମ୍ବାଇର ପୂର୍ବ, ପଶ୍ଚିମ, ଉପାନ୍ତ ତଥା ଠାଣେର କିଛି ଅଂଶରେ ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତ ହୋଇଛି। ବିଦ୍ୟୁତ୍‌ ସେବାକୁ ପୁନଃ ଆରମ୍ଭ କରିବାକୁ ଉଦ୍ୟମ କରାଯାଉଛି ବୋଲି ବିଦ୍ୟୁତ୍‌ ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ମୁମ୍ବାଇରେ ଗ୍ରୀଡ୍‌ ଫେଲ୍‌ ହେବାକୁ ନେଇ ସୋସିଆଲ ମିଡିଆରେ ମଜାଳିଆ ମିମ୍ସ ସହ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଛି। ଏହାକୁ ନେଇ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଲୋକଙ୍କୁ ଶାନ୍ତି ଓ ଧୈର୍ଯ୍ୟ ବଜାୟ ରଖିବାକୁ ଟୁଇଟରରେ ଅପିଲ କରିଛନ୍ତି। ସେହିପରି ଅଭିନେତ୍ରୀ କଙ୍ଗନା ରନାଓ୍ବତ ମଧ୍ୟ ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି।

Share