ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଦ୍ୟୁତ୍‌ ବିଭ୍ରାଟ: ସରକାରଙ୍କ ତଦନ୍ତ ନିର୍ଦ୍ଦେଶ

ବାରିପଦା ଅଫିସ,୬।୫: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଜିଲାପାଳ ବିନୀତ ଭରଦ୍ବାଜ ମୁଖ୍ୟ ଶାସନ ସଚିବଙ୍କୁ ଜଣାଇ ଦେଇଛନ୍ତି। ଏନେଇ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଚ୍ଚସ୍ତରୀୟ ଅଧିକାରୀଙ୍କ ଦ୍ବାରା ଘଟଣାର ତଦନ୍ତ କରାଯିବ ବୋଲି କେନ୍ଦ୍ରାଞ୍ଚଳ ଆର୍‌ଡିସି ଡ. ସୁରେଶ ଚନ୍ଦ୍ର ଦଳେଇ ସୂଚନା ଦେଇଛନ୍ତି। ଏନେଇ ବିଦ୍ୟୁତ୍‌ କାଟ ଅଭିଯୋଗରେ କୁଳାଧିପତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଭାଗୀୟ ଜଣେ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ସମ୍ପୃକ୍ତ ବିଦ୍ୟୁତ୍‌ କର୍ମଚାରୀ ହେଲେ ଜୟନ୍ତ କୁମାର ତ୍ରିପାଠୀ।

ଏ ସଂକ୍ରାନ୍ତରେ ଅଧ୍ୟକ୍ଷ, ରେଜିଷ୍ଟ୍ରାର, ଡେଭଲପମେଣ୍ଟ ଅଫିସରଙ୍କୁ ନେଇ କୁଳପତି ଏକ ୩ ଜଣିଆ ଇଣ୍ଟରନାଲ ତଦନ୍ତ କମିଟି ଗଠନ କରିଛନ୍ତି। କମିଟି ୧୨ ତାରିଖ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପରେ ଏକ୍ସପର୍ଟଙ୍କ ଦ୍ବାରା ଘଟଣାର ତର୍ଜମା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁଳପତି କହିଛନ୍ତି। ଏନେଇ କୁଳପତିଙ୍କୁ ପଚାରିବାରୁ ମୁଁ ଅପମାନିତ ବୋଲି ସେ କହିଛନ୍ତି। ଆବଶ୍ୟକ ପଡ଼ିଲେ ଚାକିରିରୁ ରିଜାଇନ ଦେବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଇଡ୍‌କୋର ୮ଜଣ କର୍ମଚାରୀ ଅଡିଟୋରିୟମରେ ଉପସ୍ଥିତ ଥିଲେ। ଏବେ ସେମାନଙ୍କୁ ମିଟିଂ ପାଇଁ ଡକାଇଥିଲେ। ମୋବାଇଲ ସୁଇଚ୍‌ ଅଫ୍‌ ଥିବାରୁ ଯୋଗାଯୋଗ ହୋଇପାରି ନ ଥିବା କୁଳପତି କହିଛନ୍ତି।