ଝାରସୁଗୁଡ଼ା, ୮ା୬(ଆଶିଷ ରଞ୍ଜନ ଦାଶ)- ଝାରସୁଗୁଡ଼ା ଜିଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଅସହ୍ୟ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏଭଳି ସ୍ଥିତିରେ ଅଘୋଷିତ ବିଦ୍ୟୁତ୍ କାଟ୍ ଏବଂ ଲୋ ଭୋଲ୍ଟେଜ୍ ସମସ୍ୟା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି।
ବିଦ୍ୟୁତ୍ ସମସ୍ୟାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ସମସ୍ୟାର ସମାଧାନ ଦାବିରେ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ନେତୃତ୍ୱରେ ବିଜେଡି ନେତୃବୃନ୍ଦ ଓ ଶତାଧିକ କର୍ମୀ ସୋମବାର ବେହେରାମାଲସ୍ଥିତ ଡିଆର୍ଡିଏ କାର୍ଯ୍ୟାଳୟଠାରୁ ଶୋଭାଯାତ୍ରାରେ ବାହାରି ଟିପିଡବ୍ଲ୍ୟୁଓଡିଏଲ୍ କାର୍ଯ୍ୟାଳୟରେ ପହଞ୍ଚି ନିର୍ବାହୀଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
ଦୀପାଳି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି, ପୂର୍ବ ସରକାର ସମୟରେ ଲୋ-ଭୋଲ୍ଟେଜ୍ ସମସ୍ୟାର ସମାଧାନ ତଥା ନୂତନ ଟ୍ରାନ୍ସଫର୍ମର ସ୍ଥାପନ ପାଇଁ ବଜେଟ୍ରେ ଅର୍ଥ ବ୍ୟବସ୍ଥା କରାଯାଇଥିଲା। ଟିପିଡବ୍ଲ୍ୟୁଓଡିଏଲ୍ କର୍ତ୍ତୃପକ୍ଷ ଉକ୍ତ ପାଣ୍ଠିର ଠିକ୍ ଉପଯୋଗ କରି ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ଟ୍ରାନ୍ସଫର୍ମର ତୁରନ୍ତ ସ୍ଥାପନ କରନ୍ତୁ, ଯଦ୍ଦ୍ବାରା ବିଦ୍ୟୁତ୍ ସରବରାହ ସ୍ବାଭାବିକ ହୋଇପାରିବ। ଉପଭୋକ୍ତାମାନେ ନିୟମିତ ବିଦ୍ୟୁତ୍ ବିଲ୍ ପଇଠ କରୁଥିବା ବେଳେ କମ୍ପାନୀ ପକ୍ଷରୁ ନିକୃଷ୍ଟ ସେବା ପ୍ରଦାନ କରାଯିବା ଗ୍ରହଣଯୋଗ୍ୟ ନୁହେଁ।
ଅପରପକ୍ଷେ କେତେକ ଆର୍ଥିକ ଅନଗ୍ରସର ଓ ଗରିବ ଶ୍ରେଣୀର ଲୋକଙ୍କ ବିଦ୍ୟୁତ୍ ବିଲ୍ ବାକି ରହିଛି। ଏଭଳି ଗ୍ରୀଷ୍ମପ୍ରବାହ ସମୟରେ ସେମାନଙ୍କ ବିଦ୍ୟୁତ୍ କାଟ୍ ନ କରିବାକୁ ଦୀପାଳି ଅନୁରୋଧ କରିଛନ୍ତି। ଝାରସୁଗୁଡ଼ା ଜିଲାବାସୀଙ୍କ ସୁବିଧା ପାଇଁ ଟିପିଡବ୍ଲ୍ୟୁଓଡିଏଲ୍ କର୍ତ୍ତୃପକ୍ଷ ଏଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ଦୀପାଳି ଆଶା ପ୍ରକଟ କରିଛନ୍ତି। ଏହି ଶୋଭାଯାତ୍ରାରେ ବିଜେଡି ଜିଲା ସଭାପତି ହରିଶ ଗଣତ୍ରା, ଜୟନ୍ତୀ ବାହୁକ, ବିଜେଡି ସାଧାରଣ ସମ୍ପାଦକ ପିଣ୍ଟୁ ପାଢ଼ୀ, ଅଶୋକ ଦାସ, ପୱନ ସିଂ ଯାଦବ, ସନ୍ଦୀପ ଅବସ୍ତି, ଶଶୀ ଭୂଷଣ ତିୱାରୀ, ଦାମୋଦର ନାଥ, ଜିଲା ଯୁବ ବିଜେଡି ସଭାପତି ରୁବିନ ପାଣ୍ଡେ, ରୋଜାଲିନ ପଟେଲଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ରହି ଦାବିକୁ ସମର୍ଥନ କରିଥିଲେ।