Categories: ଜାତୀୟ

ଏ କିଭଳି ବିକାଶ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଚାଲିଗଲା ବିଜୁଳି; ଅନ୍ଧାରରେ କରାଗଲା ସ୍ବାଗତ

ପାଟନା,୨।୯: ବିହାରରେ ବିଗତ ୨୦ ବର୍ଷ ଧରି କ୍ଷମତାରେ ଅଛନ୍ତି ନୀତୀଶ କୁମାର। କେତେବେଳେ ଭାଜପା ସହ ତ କେତେବେଳେ ଆର୍‌ଜେଡି ସହ ମିଶି ସେ କ୍ଷମତାର ଆସନରେ ବିରାଜମାନ ହୋଇଛନ୍ତି। ଏଥିଯୋଗୁ ନୀତୀଶଙ୍କୁ ଦଳରେ ‘ସୁଶାସନ ବାବୁ’ ବୋଲି କୁହାଯାଏ। ଏପରିକି ନୀତୀଶ ସରକାରଙ୍କ କାର୍ଯ୍ୟକାଳରେ ଅନେକ ବିକାଶ ହୋଇଥିବା ଦାବି କରାଯାଏ। ଯେପରିକି ଲୋକଙ୍କୁ ୨୪ ଘଣ୍ଟିଆ ବିଜୁଳି। ହେଲେ ମୁଖ୍ୟମନ୍ତ୍ରୀଙ୍କ ଏକ କାର୍ଯ୍ୟକ୍ରମରେ ବାସ୍ତବତା ସାମ୍ନାକୁ ଆସିଛି।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଡେପୁଟି ସିଏମ୍‌ ତେଜସ୍ବୀ ଯାଦବଙ୍କ ସହ ପାଟଳିପୁତ୍ର ସ୍ପୋଟ୍ସ କମ୍ପ୍ଲେକ୍ସରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଗଲସ ଜୁନିୟର ନ୍ୟାଶନାଲ କବାଡି ଟୁର୍ନାମେଣ୍ଟର ଉଦ୍‌ଘାଟନ କରିବାର ଥିଲା। ହେଲେ ତାଙ୍କ ପହଞ୍ଚିବାର କିଛି ସମୟ ପୂର୍ବରୁ ସେଠାରେ ବିଜୁଳି ଚାଲିଯାଇଥିଲା। ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ଲାଗି ପହଞ୍ଚିବା ପରେ ଅନ୍ଧାରରେ ତାଙ୍କର ସ୍ବାଗତ କରାଯାଇଥିଲା। ସେଠାରେ ଉପସ୍ଥିତ ଜନତା ନିଜ ନିଜ ମୋବାଇଲର ଫ୍ଲାସ୍‌ ଲାଇଟ୍‌ ଅନ୍‌ କରିଥିଲେ। ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓରେ ନୀତୀଶ ଅନ୍ଧାରରେ ତେଜସ୍ବୀଙ୍କ ସହ ବସିଥିବା ନଜର ଆସୁଛି। ପ୍ରାୟ ୨୦ ମିନିଟ ପରେ ସେଠାରେ ବିଜୁଳି ଆସିଥିଲା। ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

ଘଟଣାକୁ ନେଇ ଭାଜପା ନୀତୀଶ କୁମାରଙ୍କୁ କଟାକ୍ଷ କରୁଛି। ଭିଡିଓ ଶେୟାର କରି ଏହାକୁ ‘ଲଣ୍ଠନର ଯୁଗର ଲୋକାର୍ପଣ’ ବୋଲି ଭାଜପା କହିଛି। ତେବେ ଲଣ୍ଠନ ଆର୍‌ଜେଡିର ନିର୍ବାଚନୀ ଚିହ୍ନ ହୋଇଥିବା ବେଳେ ନିକଟରେ ନୀତୀଶ ଏକାଠି ହୋଇ ନୂଆ ସରକାର ଗଢ଼ିଛନ୍ତି। ଏଥିଯୋଗୁ ଭାଜପା ଏପରି କଟାକ୍ଷ କରୁଛି।

Share