ଉଠା ଜଳସେଚନ ପ୍ରକଳ୍ପରେ ବିଦ୍ୟୁତ୍‌ କାଟ୍‌: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ

କେନ୍ଦୁଝର,୫ା୯(ସ୍ବ.ପ୍ର.): ସଦର ବ୍ଲକ ମଙ୍ଗଳାପଶି ଗ୍ରାମରେ ଥିବା ଦୁଇଟି ଉଠା ଜଳସେଚନ ପ୍ରକଳ୍ପ ଉପରେ ସ୍ଥାନୀୟ ଗରିବ ଆଦିବାସୀ ଓ ଅଣଆଦିବାସୀ ଚାଷୀମାନେ ନିର୍ଭର କରି ଚଳିଆସୁଛନ୍ତି। ଚଳିତ ବର୍ଷ ଖରିଫ ଚାଷ ପୂର୍ବରୁ ମୋଟର ପୋଡ଼ିଯିବାରୁ ଚାଷୀମାନେ ନିଜ ଉଦ୍ୟମରେ ୮୫ ହଜାର ଟଙ୍କା ସଂଗ୍ରହ କରି ମରାମତି ଓ ବିଦ୍ୟୁତ୍‌ ବିଲ୍‌ ପୈଠ କରିଥିଲେ। ତେବେ ଦିନରେ ହାରାହାରି ୬ ଘଣ୍ଟା ରାତିରେ ପ୍ରାୟ ୯ ଘଣ୍ଟା ବିଦ୍ୟୁତ୍‌ କାଟ୍‌ ହେଉଥିବାରୁ ଚାଷକାର୍ଯ୍ୟରେ ସମସ୍ୟା ଦେଖାଦେଉଛି। ବିଲ୍‌ରେ ପାଣି ନ ଥିବା କାରଣରୁ ପାଣି ମଡ଼ାଇବା ଆବଶ୍ୟକ ପଡୁଛି। ଏଣୁ ଏଭଳି ବିଦ୍ୟୁତ୍‌ କାଟ୍‌ ଯୋଗୁ ପାଣି ପାଇପାରୁ ନ ଥିବା କହିଛନ୍ତି। ତୁରନ୍ତ ଏନେଇ ପଦକ୍ଷେପ ଗ୍ରହଣ କରି ନିରନ୍ତର ବିଦ୍ୟୁତ୍‌ ଯୋଗାଣ ପାଇଁ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ସୋମବାର ନିବେଦନ କରିଛନ୍ତି।