ପାକ୍‌ରେ ଶକ୍ତି ସଙ୍କଟ: ରାତି ୮ଟାରୁ ବଜାର ବନ୍ଦ

ଇସ୍‌ଲାମାବାଦ୍‌, ୨୧।୧୨: ଭୟାବହ ବନ୍ୟା ପ୍ରଭାବରେ କ୍ଷତିଗ୍ରସ୍ତ ପାକିସ୍ତାନ ଅଣ୍ଟା ସଳଖୁଥିବାବେଳେ ଦେଶରେ ଶକ୍ତି ସଙ୍କଟ ମୁଣ୍ଡ ଟେକିଛି। ଏ ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଜୋର୍‌ସୋର ଆରମ୍ଭ କରାଯାଇଛି। ପ୍ରକାଶିତ ଖବର ଅନୁସାରେ ଶକ୍ତି ସଂରକ୍ଷଣ ପାଇଁ ଶେହବାଜ ସରକାର ତରଫରୁ ବହୁମୁଖୀ ପଦକ୍ଷେପ ନିଆଯାଇଛି। ରାତି ୮ଟା ସୁଦ୍ଧା ସମସ୍ତ ବଜାର ବନ୍ଦ କରାଯିବା ସହ ବାହାଘର ହଲ୍‌ ଗୁଡ଼ିକ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ସକାଶେ ପାକ୍‌ରେ ଶକ୍ତି ସଙ୍କଟ ଦେଖାଦେଇଥିବା କୁହାଯାଉଛି। ସେହିପରି ପ୍ରଧାନମନ୍ତ୍ରୀ ଶେହବାଜଙ୍କ ତତ୍ତ୍ୱାବଧାନରେ ପାକ୍‌ ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ବାଜା ଆଶିଫ୍‌ ମଙ୍ଗଳବାର ଜାତୀୟ ଶକ୍ତି ସଂରକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସାରା ଦେଶରେ ଖୁବ୍‌ଶୀଘ୍ର ଏହି କଟକଣା ଲାଗୁ କରାଯିବାକୁ ଥିବାବେଳେ ଅନ୍ତିମ ନିଷ୍ପତ୍ତି ଗୁରୁବାର ନିଆଯିବ। ୨୦% ସରକାରୀ କର୍ମଚାରୀ ଓ୍ବାର୍କଫ୍ରମ୍‌ହୋମ୍‌ କରିବେ। ଶକ୍ତି ସଂରକ୍ଷଣ କାର୍ଯ୍ୟକ୍ରମ ଦ୍ୱାରା ପାଖାପାଖି ୫୬ ବିଲିୟନ୍‌ ଡଲାର ରାଜସ୍ବ ସଂଞ୍ଚୟ କରାଯାଇ ପାରିବ।

Share