ରେଡ୍ ଜୋନ୍‌ରେ ଗଞ୍ଜାମ: ଅଫିସରଙ୍କ ହଜିଗଲାଣି ନିଦ, ଚିନ୍ତାରେ ଲୋକେ; ନିୟୋଜିତ ହେଲେ ୪୦ ଉଦ୍ଧାରକାରୀ ଦଳ…

ଭଞ୍ଜନଗର, ୧୮।୧୧ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାକୁ ନେଇ ଗଞ୍ଜାମ ଜିଲାରେ ଆଶଙ୍କା ବଢ଼ିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଗତ ବାତ୍ୟାର ଅଭିଜ୍ଞତାରୁ ଶିକ୍ଷା ନେଇ ଏଥର ଲୋକଙ୍କ ଧନଜୀବନ ସୁରକ୍ଷାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି। ଜିଲାରେ ବର୍ତ୍ତମାନ ମୋଟ ୪୦ଟି ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଥିବା ବେଳେ ଆବଶ୍ୟକତା ଅନୁସାରେ ଆଗକୁ ଏହି ସଂଖ୍ୟା ଆହୁରି ବୃଦ୍ଧି କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଲଗାଣ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ ଜିଲା ରେଡ୍‌ ଜୋନ୍‌ରେ ରହିଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇସାରିଛି ଏବଂ ଆସନ୍ତା ଦୁଇ ଦିନ ବର୍ଷାର ପରିମାଣ ଆହୁରି ବଢ଼ିପାରେ। ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଜିଲାରେ ୨୪ଟି ଅଗ୍ନିଶମ ବାହିନୀ, ୧୩ଟି ଓଡ୍ରାଫ୍‌ (ODRAF) ଟିମ୍‌ ଏବଂ ୩ଟି ଏନ୍‌ଡିଆର୍‌ଏଫ୍‌ (NDRF) ଟିମ୍‌କୁ ମୁତୟନ କରାଯାଇଛି।

ପ୍ରଶାସନ ପକ୍ଷରୁ ଦୁର୍ଗମ, ଖାଲୁଆ ଓ ପାହାଡ଼ିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ୧୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇ ସେଠାରେ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ ସହ ରନ୍ଧା ଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ବାତ୍ୟା ଆଳରେ କଳାବଜାର ରୋକିବା ପାଇଁ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି ଏବଂ ଅତ୍ୟଧିକ ଦରରେ ସାମଗ୍ରୀ ବିକ୍ରି କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

ସେହିପରି ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ଲକ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହ କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି। ଜଳସମ୍ପଦ ବିଭାଗ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ସତର୍କତା ଅବଲମ୍ବନ କରାଯାଇ ଭଞ୍ଜନଗର ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁ, ଡହ ସହକାରୀ ନିର୍ବାହୀ ଯନ୍ତ୍ରୀ ପି. ଭେଙ୍କେଟେସ୍, ଭଞ୍ଜନଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ର ଏବଂ ସହକାରୀ ଯନ୍ତ୍ରୀ ପ୍ରହଲ୍ଲାଦ ପଣ୍ଡା ପ୍ରମୁଖ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମଧ୍ୟ ନିୟମିତ ଭାବେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

Dharitri – Odisha’s No.1 Odia Daily

Share