ଲଗାଣ ବର୍ଷାରେ ଭାଙ୍ଗିଲା ପୋତାଗଡ଼ ପାଚେରୀ: ପର୍ଯ୍ୟଟକ, ବୁଦ୍ଧିଜୀବୀ ମହଲରେ କ୍ଷୋଭ

ଗଞ୍ଜାମ, ୨୫।୯ (ବିଦ୍ୟାଧର ସାହୁ): ଗତ ୩-୪ ଦିନ ଧରି ଲଗାଣ ବର୍ଷା ସାଙ୍ଗକୁ ପ୍ରବଳ ପବନ ବହିବା ଫଳରେ ଗଞ୍ଜାମ ସହରରେ ଅବସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗର ପ୍ରବେଶଦ୍ୱାର ପାର୍ଶ୍ୱରେ ଥିବା ପାଚେରୀର ଇଟା ଧସିପଡ଼ିଛି। ଏହାକୁ ନେଇ ପର୍ଯ୍ୟଟକ ମହଲରେ କ୍ଷୋଭ ପ୍ରକାଶ ପାଇଛି।

କିଛି ବର୍ଷ ତଳେ ପର୍ଯ୍ୟଟନ ବିଭାଗ ଓ ଜିଲା ପ୍ରଶାସନ ପକ୍ଷରୁ ପୋତାଗଡ଼ ଦୁର୍ଗର ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଥିଲା। ହେଲେ ବର୍ତ୍ତମାନ ଏହି କାର୍ଯ୍ୟରେ ଶିଥିଳତା ଦେଖାଦେଇଥିବା ଅଭିଯୋଗ ହେଉଛି। ଦୁର୍ଗକୁ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ହୋଇଥିବା ମାଷ୍ଟରପ୍ଲାନ ମଧ୍ୟ ଏବେ ଧିମେଇ ଯାଇଥିବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ଗଞ୍ଜାମ ସହରର ପ୍ରାଚୀନ ଐତିହ୍ୟର ସାକ୍ଷୀ ଏହି ଶହ ଶହ ବର୍ଷ ପୁରୁଣା ଐତିହାସିକ ପଞ୍ଚକୋଣୀୟ ପୋତାଗଡ଼ ଦୁର୍ଗ ଏବେ ଅବକ୍ଷୟ ଆଡ଼କୁ ଗତି କରୁଥିବା ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଐତିହାସିକ ଦୁର୍ଗର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ପର୍ଯ୍ୟଟନ ବିଭାଗ ଏବଂ ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

 

Dharitri – Odisha’s No.1 Odia Daily

Share