ଭାଜପା ପ୍ରଚାର ଗାଡ଼ିିରୁ ପୋଷ୍ଟର ଫାଡ଼ିଲେ

ସମ୍ବଲପୁର,୩୦।୪(ବ୍ୟୁରୋ):  ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏବେ ୩ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି, କଂଗ୍ରେସ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ବିଭିନ୍ନ ସ୍ଥାନରେ ସଭାସମିତି କରିବା ସହ ପ୍ରଚାର ଗାଡି ମଧ୍ୟ ବୁଲୁଛି। ଏପରିସ୍ଥଳେ ଝାରସୁଗୁଡା ମ୍ୟୁନିସିପାଲିଟି ୨୦ନଂ. ୱାର୍ଡ ମଙ୍ଗଳବଜାରରେ ଶନିବାର ଏକ ଅଭାବନୀୟ ଚିତ୍ର ସାମନାକୁ ଆସିଛି। କେହି ଦୁର୍ବୃତ୍ତ ଭାଜପାର ପ୍ରଚାର ଗାଡି ଅଟକାଇ ପୋଷ୍ଟର ଫାଡିବା ସହ ଡ୍ରାଇଭରଙ୍କୁ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି। ଭାଜପା ଜିଲା ସଭାପତି ମଙ୍ଗଳୁ ସାହୁ ଏ ନେଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ କ୍ରମେ ମଙ୍ଗଳବଜାରକୁ ଅପରାହ୍ନ ପ୍ରାୟ ୪ଟା ସମୟରେ ପ୍ରଚାର ଗାଡି ଯାଇଥିଲା। ଏହି ସମୟରେ କେତେଜଣ ଯୁବକ ଗାଡିକୁ ଅଟକାଇଥିଲେ। ସେମାନେ ପ୍ରଥମେ ଡ୍ରାଇଭରଙ୍କୁ ଗାଳିଗୁଲଜ କରିଥିଲେ। ଏହି ପଡାରେ ଆଉ ପ୍ରଚାର କରିବାକୁ ଆସିବ ନାହିଁ ବୋଲି ଧମକ ଦେଇଥିଲେ। ଏହାସହ ଗାଡିରେ ଲାଗିଥିବା ବ୍ୟାନର ଓ ପୋଷ୍ଟର ଫାଡି ଦେଇଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ଜିଲା ସଭାପତି ମଙ୍ଗଳୁ କହିଛନ୍ତି, ରାଜ୍ୟ ସଭାପତି ଓ ଅନ୍ୟ ନେତାମାନେ ପ୍ରଚାର କରୁଛନ୍ତି। ଏଭଳି ସମୟରେ ପ୍ରଚାର ବନ୍ଦ କରିବା ପାଇଁ ଯୋଜନା କରାଯାଇ ଭୟଭୀତ କରାଯାଉଛି। ଥାନାରେ ଅଭିଯୋଗ ହୋଇଛି। ନିରପେକ୍ଷ ନିର୍ବାଚନ ହେବା ପାଇଁ ଆମେ ଦାବି କରିଆସୁଛୁ। ହେଲେ ଏଭଳି ଅପ୍ରୀତିକର ଘଟଣା ଘଟୁଛି। ଏଥିରେ ବିପକ୍ଷ ଦଳର ସମ୍ପୃକ୍ତି ରହୁଛି ବୋଲି ସାହୁ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଟାଉନ ଥାନା ଅଧିକାରୀ ରଞ୍ଜନ ବିଶ୍ୱାଳ ଗଣମାଧ୍ୟକୁ ସୂଚନା ଦେଇ କହିଛନ୍ତି, ଅଭିଯୋଗ ହୋଇଛି। ଏହା ଉପରେ ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ।