Categories: ଜାତୀୟ

ସ୍କୁଲରେ ଲାଗିଲା ପୋଷ୍ଟର: ଫି ନ ଦେଲେ ପରୀକ୍ଷା ପାଇଁ ଅନୁମତି ନାହିଁ

ମୋରାଦାବାଦ,୨୧।୧: କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍କୁଲ କଲେଜ ବନ୍ଦ ରହିଥିଲା। ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ସ୍କୁଲ ପକ୍ଷରୁ ଅନ୍‌ଲାଇନ୍‌ରେ ପାଠପଢ଼ା ଜାରି ରଖାଯାଇଥିଲା। ତେବେ କେତେକ ଛାତ୍ରୀଛାତ୍ର ଫି ନ ଦେବାରୁ ଉତ୍ତରପ୍ରଦେଶ ଘରୋଇ ସ୍କୁଲ ସଂଘ ପକ୍ଷରୁ କଡ଼ା ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଠାକାର ସମସ୍ତ ଘରୋଇ ସ୍କୁଲ ଗେଟ୍‌ରେ ‘ଫି ନ ଦେଲେ ପରୀକ୍ଷା ପାଇଁ ଅନୁମତି ନାହିଁ’ ଲେଖା ଥିବା ବ୍ୟାନର ବନ୍ଧା ଯାଇଛି। ଫି ପୈଠ ହେଉ ନ ଥିବାରୁ ଶିକ୍ଷକଙ୍କ ଦରମା ଦେବାରେ ଅସୁବିଧା ହେଉଥିବା ସଂଘ ପକ୍ଷରୁ କୁହାଯାଇଛି। ତେବେ ସ୍କୁଲଗୁଡ଼ିକରେ ହେବାକୁ ଥିବା ବାର୍ଷିକ ପରୀକ୍ଷା ଦେବା ଲାଗି ଅଭିଭାବକମାନେ ବକେୟା ସ୍କୁଲ ଫି ଦାଖଲ କରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ବର୍ତ୍ତମାସ ସୁଦ୍ଧା ୫୦ରୁ ୬୦ ପ୍ରତିଶତ ଛାତ୍ରୀଛାତ୍ରଙ୍କ ସ୍କୁଲ ଫି ବର୍ଷେ ହେଲା ପୈଠ ହୋଇ ନ ଥିବା ସଂଘ କହିଛି। ସ୍କୁଲଗୁଡ଼ିକରେ ବନ୍ଧା ଯାଇଥିବା ବ୍ୟାନର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share