Categories: ଜାତୀୟ

ରାଜ୍ୟପାଳଙ୍କୁ ନେଇ ପୋଷ୍ଟର ଯୁଦ୍ଧ

ଚେନ୍ନାଇ,୧୧ା୧: ତାମିଲନାଡୁ ବିଧାନସଭାରେ ଅଭିଭାଷଣକୁ ନେଇ ଶାସକ ଦଳ ଡିଏମ୍‌କେ ଏବଂ ରାଜ୍ୟପାଳ ଆର୍‌.ଏନ୍‌. ରବିଙ୍କ ମଧ୍ୟରେ ବିବାଦର ଦିନକ ପରେ ଚେନ୍ନାଇର ବିଭିନ୍ନ ସ୍ଥାନରେ ‘ରବି ବାହାରିଯାଅ’ ପୋଷ୍ଟର ଲଗାଯାଇଛି। ଉକ୍ତ ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଫଟୋ ରହିଛି। ଶାସକ ଦଳର ଟୁଇଟର ହ୍ୟାଣ୍ଡଲରେ ମଧ୍ୟ ରାଜ୍ୟପାଳଙ୍କୁ ସମାଲୋଚନା କରାଯାଇଛି। ଏହାର ପ୍ରତିବାଦରେ ପୁଡ଼ୁକୋଟ୍ଟାଇଠାରେ ସ୍ଥାନୀୟ ଭାଜପା କାର୍ଯ୍ୟକର୍ତ୍ତାମାନେ ରାଜ୍ୟପାଳଙ୍କୁ ପ୍ରଶଂସା କରି ପୋଷ୍ଟର ଲଗାଇଛନ୍ତି। ଅନେକ ଭାଜପା ଟୁଇଟର ହ୍ୟାଣ୍ଡଲରେ ଶାସକ ଦଳକୁ ନିନ୍ଦା କରାଯାଇଛି।
ସୋମବାର ବିଧାନସଭାରେ ରାଜ୍ୟପାଳ ଓ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ସରକାରୀ ପ୍ରସ୍ତୁତ ଭାଷଣକୁ ବାଦ୍‌ ଦେଇ ରାଜ୍ୟପାଳ ବିଧାନସଭାରେ ନିଜସ୍ବ ଭାଷଣ ଦେବାରୁ ଏହାକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ଅଧ୍ୟକ୍ଷ ଷ୍ଟାଲିନ ରାଜ୍ୟପାଳଙ୍କ ବିରୋଧରେ ପ୍ରସ୍ତାବ ଗୃହୀତ କରାଇଥିଲେ। ଫଳରେ ରାଜ୍ୟପାଳ ଭାଷଣ ଅଧାରୁ ବିଧାନସଭା ଛାଡ଼ି ପଳାଇଥିଲେ। ସୋମବାର ବିଧାନସଭାରେ ଯାହା ଘଟିଲା ତାହାକୁ ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ପ୍ରଶଂସା କରିଛନ୍ତି। ବିଧାନସଭା ଇତିହାସରେ ଏହା ଅଭୂତପୂର୍ବ ବୋଲି ସେ କହିଛନ୍ତି। ସାଧାରଣତଃ ଷ୍ଟାଲିନ୍‌ଙ୍କ ଉତ୍ତରରେ ବିରୋଧୀ ଦଳ କକ୍ଷତ୍ୟାଗ କରିଥାନ୍ତି। କିନ୍ତୁ ଏଥର ରାଜ୍ୟପାଳ ଗୃହ ଛାଡ଼ି ପଳାଇଲେ ବୋଲି ଉଦୟନିଧି କହିଛନ୍ତି।
ଯେ, ସୋମବାର ରାଜ୍ୟପାଳ ବିଧାନସଭାରେ ପାଖାପାଖି ୫୦ ମିନିଟ ଭାଷଣ ଦେଇଥିଲେ। ତାଙ୍କ ଭାଷଣର ତାମିଲ ଭର୍ସନକୁ ବାଚସ୍ପତି ପଢ଼ିଥିଲେ। ସରକାର ରାଜ୍ୟପାଳଙ୍କ ପାଖକୁ ଚିଠା ଅଭିଭାଷଣ ପଠାଇଥିଲେ ଏବଂ ଏହାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିଲେ। ଏହା ଛପାଯାଇ ସବୁ ସଦସ୍ୟଙ୍କ ଟାବ୍‌ରେ ରଖାଯାଇଥିଲା। ଯେଉଁମାନେ ହାର୍ଡକପି ଚାହିଁଥିଲେ, ସେମାନଙ୍କୁ ଯୋଗାଇ ଦିଆଯାଇଥିଲା। ସରକାରଙ୍କ ଦ୍ରାବିଡୀୟ ମଡେଲ୍‌ ନୀତିର ବିରୋଧୀ ରାଜ୍ୟପାଳଙ୍କ କାର୍ଯ୍ୟ ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ କହିଥିଲେ। ଆମେ ବିଧାନସଭାର ନୀତିନିୟମକୁ ଅନୁପାଳନ କରିଥିଲୁ ଏବଂ ରାଜ୍ୟପାଳଙ୍କ ଭାଷଣ ଆରମ୍ଭରୁ ବିରୋଧ କରି ନ ଥିଲୁ। ସାମ୍ବିଧାନିକ ନିୟମ ଅନୁଯାୟୀ ଗୃହକୁ ଉଦ୍‌ବୋଧନ ଦେବାକୁ ଆସୁଥିବା ରାଜ୍ୟପାଳଙ୍କ ପ୍ରତି ଶାସକ ଦଳର ପୂର୍ଣ୍ଣ ସମ୍ମାନ ରହିଛି। ତେବେ ରାଜ୍ୟପାଳ କେବଳ ଡିଏମ୍‌କେ ନୀତି ବିରୋଧରେ କାର୍ଯ୍ୟ କଲେ ତାହା ନୁହେଁ, ସେ ସରକାରଙ୍କ ବିରୋଧରେ ଗଲେ। ସରକାର ପ୍ରସ୍ତୁତ କରିଥିବା ଚିଠା ଭାଷଣକୁ ସେ ନ ପଢ଼ିବା ବିଧାନସଭା ପରମ୍ପରାର ଉଲ୍ଲଂଘନ ବୋଲି ଷ୍ଟାଲିନ୍‌ ସମାଲୋଚନା କରିଥିଲେ।

Share