Categories: ଜାତୀୟ

ଲାଲୁଙ୍କ ପରିବାରରେ କ୍ଷମତା ସଂଘର୍ଷ: ଦଳୀୟ କାର୍ଯ୍ୟାଳୟରୁ ହଟାଗଲା ତେଜପ୍ରତାପଙ୍କ ପୋଷ୍ଟର

ପାଟନା,୯।୮: ବିହାରର ମୁଖ୍ୟ ବିରୋଧୀ ଦଳ ରାଷ୍ଟ୍ରୀୟ ଜନତା ପାର୍ଟି(ଆରଜେଡି)ରେ ଏବେ ଘରୋଇ କନ୍ଦଳ ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଶେଷ ଆଡ଼କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ। ହେଲେ ଏହାପୂର୍ବରୁ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ୨ପୁଅ ତେଜସ୍ବୀ ଯାଦବ ଓ ତେଜପ୍ରତାପ ଯାଦବଙ୍କ ମଧ୍ୟରେ କ୍ଷମତାକୁ ନେଇ ସଂଘର୍ଷ ଚାଲିଥିବା ନଜର ଆସିଛି। ଦୁଇ ପକ୍ଷରୁ ଏବେ ପୋଷ୍ଟର ଓ୍ବାର ଜାରି ରହିଥିବା ବେଳେ ଏହା ଥମିବାର ନା ନେଉନି। ସୂଚନାଯୋଗ୍ୟ, ରବିବାର ପାଟନା ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଛାତ୍ର ୟୁନିଟ୍‌ ସହ ଜଡ଼ିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ତେଜପ୍ରତାପ ଯାଦବ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ସମୟରେ ଦଳୀୟ କାର୍ଯ୍ୟାଳୟରେ କେବଳ ତେଜପ୍ରତାପଙ୍କ ବଡ଼ ବଡ଼ ପୋଷ୍ଟର ଲାଗିଥିବା ବେଳେ ସେଥିରେ ତେଜସ୍ବୀ ଯାଦବଙ୍କ ଚେହେରା କେଉଁଠି ବି ଦେଖିବାକୁ ମିଳି ନ ଥିଲା। ଯାହାକୁ ନେଇ ବିବାଦ ଦେଖାଦେଇଥିଲା। ବିବାଦ ଉପୁଜିବା ପରେ ରାତାରାତି ଏହି ପୋଷ୍ଟରକୁ ହଟାଇ ଦିଆଯାଇଥିଲା। କୁହାଗଲା ଯେ, କିଛି ଦୃର୍ବୁତ୍ତ ଉକ୍ତ ପୋଷ୍ଟରରେ କଳା ପୋତିଥିବାରୁ ଏହାକୁ ହଟାଇ ଦିଆଯାଇଛି। ଅନ୍ୟପଟେ ସୋମବାର ଉକ୍ତ କାର୍ଯ୍ୟାଳୟ ବାହାରେ ତେଜସ୍ବୀଙ୍କ ଏକ ବଡ଼ ପୋଷ୍ଟର ଲାଗିଛି। ଯେଉଁଥିରେ ଲାଲୁ ପ୍ରସାଦ ଯାଦବ, ରାବ୍ରୀ ଦେବୀ ଓ ତେଜସ୍ବୀଙ୍କ ଫଟୋ ଲାଗିଥିବା ବେଳେ ଏଥିରେ କିନ୍ତୁ ତେଜପ୍ରତାପ ନଜର ଆସିନାହାନ୍ତି। ତେବେ ଦୁଇ ଭାଇ ପରସ୍ପରକୁ ପୋଷ୍ଟରରେ ସାମିଲ କରିବାକୁ ଚାହୁଁ ନ ଥିବା ଚର୍ଚ୍ଚା ହେଉଛି।

Share