Categories: ଖେଳ

ପାକିସ୍ତାନ ଅଧିନାୟକଙ୍କୁ ଭେଟିଲେ କୋହଲି

ୟୁଏଇ,୨୫।୮: ଭାରତୀୟ ଦଳ ଏସିଆ କପ ପାଇଁ ଦୁବାଇରେ ପହଞ୍ଚିଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭିଭିଏସ ଲକ୍ଷ୍ମଣଙ୍କୁ ଭାରତୀୟ ଦଳର ମଧ୍ୟବର୍ତ୍ତୀକାଳୀନ କୋଚ କରାଯାଇଛି। ତାଙ୍କ କୋଚିଂ ଅଧୀନରେ ଦଳ ତାଲିମ ଆରମ୍ଭ କରିଛି। ନିୟମିତ କୋଚ ରାହୁଲ ଦ୍ରାବିଡ କରୋନାରୁ ସୁସ୍ଥ ହେବା ପରେ ଦଳରେ ଯୋଗଦେବେ। ଦଳର ପ୍ରସ୍ତୁତି ସମୟରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ଭେଟିଥିଲେ।
କୋହଲି ବାବରଙ୍କ ସହ ହାତ ମିଳାଇ ତାଙ୍କ ସହ କିଛି ସମୟ କଥା ହୋଇଥିଲେ। ବାବର ଏବଂ ବିରାଟଙ୍କୁ ସବୁବେଳେ ତୁଳନା କରାଯାଏ। ବାବର ଖୁବ କମ ସମୟ ମଧ୍ୟରେ ତାଙ୍କ ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କୁ କୋହଲିଙ୍କ ସହ ତୁଳନା କରାଯାଉଛି।
କୋହଲିଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ସୂର୍ଯ୍ୟକୁମାର ଯାଦବ, ରବିଚନ୍ଦ୍ରନ ଅଶ୍ୱିନ, ଦୀନେଶ କାର୍ତ୍ତିକ ଏବଂ ଅର୍ଶଦୀପ ସିଂଙ୍କ ସମେତ ଅନ୍ୟ ଖେଳାଳିଙ୍କୁ ଏହି ଭିଡିଓରେ ଦେଖିବାକୁ ମିଳିଥିଲା। ଚହଲ ଏବଂ ହାର୍ଦ୍ଦିକ ଆଫଗାନିସ୍ତାନର ଖେଳାଳିଙ୍କୁ ଭେଟିଥିଲେ।
ଅଗଷ୍ଟ ୨୮ରେ ଦୁବାଇରେ ହେବାକୁ ଥିବା ଏସିଆ କପରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହେବେ। ଏହାପୂର୍ବରୁ ୨୪ ଅକ୍ଟୋବର ୨୦୨୧ରେ ଟି-୨୦ ବିଶ୍ୱକପରେ ଉଭୟ ସମାନ ଗ୍ରାଉଣ୍ଡରେ ଖେଳିଥିଲେ। ଏହି ମ୍ୟାଚ୍‌ରେ ପାକିସ୍ତାନ ୧୦ ଉଇକେଟରେ ଜିତିଥିଲା। ଏସିଆ କପରେ ଭାରତ-ପାକିସ୍ତାନ ମଧ୍ୟରେ ୧୪ଟି ମ୍ୟାଚ ଖେଳାଯାଇଛି। ଏଥିମଧ୍ୟରୁ ଭାରତ ୮ଟି ଜିତିଥିବାବେଳେ ପାକିସ୍ତାନ ପାଞ୍ଚଟି ଜିତିଛି।

Share