ଦାରିଙ୍ଗବାଡ଼ି,୪ା୯(ଅରୁଣ ସାହୁ): ଦିନେ କି ଓଳିଏ ନୁହଁ ଦୀର୍ଘଦିନ ଧରି ବାରମ୍ବାର ଡାକସେବା ଅଚଳ ହେଉଥିବା ଅଭିଯୋଗ ହୋଇଆସୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଉପଡାକଘରେ।
ପ୍ରକାଶ ଯେ, ଉକ୍ତ ଡାକ ଘର ଉପରେ ଦାରିଙ୍ଗବାଡ଼ିର ୧୭ ପଞ୍ଚାୟତ ସମେତ ବ୍ରାହ୍ମଣୀଗାଁଠାରେ ରହିଥିବା ଉପ ଡାକକାର୍ଯ୍ୟାଳୟ ମଧ୍ୟ ବାରମ୍ବାର ଅଚଳ ଯୋଗୁ ସେହି ଡାକ ଘରେ ନିର୍ଭର କରୁଥିବା ୮ ପଞ୍ଚାୟତର ଉପଭୋକ୍ତାମାନେ ଦାରିଙ୍ଗବାଡ଼ି ଡାକ ଘର ଉପରେ ନିର୍ଭର କରୁଛନ୍ତି। ଫଳରେ ଉକ୍ତ ବ୍ଲକର ୨୫ ପଞ୍ଚାୟତବାସୀ ନିର୍ଭର କରୁଛନ୍ତି ଓ ବାରମ୍ବାର ଅଚଳ ଯୋଗୁ ନିରାଶ ହେଉଛନ୍ତି। ଦୁରଦୂରାନ୍ତରୁ ଆସିଥିବା ଭୋକ୍ତାମାନେ ଲିଙ୍କ୍ ଫେଲ୍ କଥା ଶୁଣି ଘଣ୍ଟା ଘଣ୍ଟା ଅପେକ୍ଷା କରି ଶେଷରେ ନିରାଶ ହୋଇ ଫେରୁଛନ୍ତି। ଏବେ ଲଗାତର ୪ ଦିନ ହେଲା ଦାରିଙ୍ଗବାଡ଼ିରେ ଲୋକଙ୍କୁ ଉପଡାକଘରେ ସେବା ମିଳୁନାହିଁ। ଫଳରେ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ହେଲେ ଆଗକୁ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏବେ ଲୋକଙ୍କ ଚିଠି, ସ୍ପିଡ୍ ପୋଷ୍ଟ, ଅର୍ଥ ନେଣଦେଣ ହୋଇପାରୁଥି ନ ଥିବାବେଳେ ଡାକ ଦ୍ୱାରା ଆସୁଥିବା ସମସ୍ତ ପାର୍ସଲ ଉପଭୋକ୍ତା ରିସିଭ୍ କରିପାରୁନାହାନ୍ତି କିମ୍ବା ପଠାଇପାରୁନାହାନ୍ତି। ସେହିପରି ସରକାରଙ୍କ ବିଭିନ୍ନ ଯୋଜନାରେ ଆସୁଥିବା ମଜୁରୀ ଅର୍ଥ ସମେତ ବିଭିନ୍ନ ଅନୁଦାନକୁ ଉପଭୋକ୍ତାମାନେ ଉଠାଣ କରିପାରୁନାହାନ୍ତି।
ଏନେଇ ପୋଷ୍ଟମାଷ୍ଟର ବସନ୍ତ ନାୟକଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ସର୍ଭର ଡାଉନ ରହିବା ସହ ବିଏସ୍ଏନ୍ଏଲ୍ର ଇଣ୍ଟରନେଟ୍ ସେବା ବାରମ୍ବାର ଅଚଳ ଯୋଗୁ ଏଭଳି ସମସ୍ୟା ଉପୁଜିଛି। ଏ ସଂକ୍ରାନ୍ତରେ ସେ ଜିଲା ମୁଖ୍ୟ ଡାକ କାର୍ଯ୍ୟାଳୟର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି ବୋଲି କହିଛନ୍ତି।

