ପରାଜୟ ସହିପାରୁନାହାନ୍ତି TMC ସମର୍ଥକ! ବିଜୟ ଶୋଭାଯାତ୍ରା ବେଳେ ଭାଜପା କର୍ମୀଙ୍କୁ ନିର୍ମମ ହତ୍ୟା

କୋଲକାତା,୫।୫: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରେ ପୁଣି ଥରେ ରକ୍ତାକ୍ତ ହୋଇଛି ରାଜ୍ୟର ରାଜନୀତି। ନ୍ୟୁଟାଉନ ଅଞ୍ଚଳରେ ଜଣେ ଭାଜପା କର୍ମୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ ମଧୁ ମଣ୍ଡଳ ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ସ୍ଥାନୀୟ ବାଲିଗୁଡ଼ି ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଏକ ବିଜୟ ଶୋଭାଯାତ୍ରା ସମୟରେ ତୃଣମୂଳ କଂଗ୍ରେସ (TMC) ଏବଂ ଭାରତୀୟ ଜନତା ପାର୍ଟି (BJP) କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଧୀରେ ଧୀରେ ଏହି ବଚସା ହିଂସାର ରୂପ ନେଇଥିଲା। ଅଭିଯୋଗ ହୋଇଛି ଯେ, ଉତ୍ତ୍ୟକ୍ତ ଟିଏମ୍‌ସି ସମର୍ଥକମାନେ ମଧୁ ମଣ୍ଡଳଙ୍କୁ ଘେରି ଯାଇ ନିର୍ଘାତ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ମଧୁଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଟେକ୍ନୋ ସିଟି ଥାନା ପୋଲିସ ସମେତ ଅଧିକ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ବାଲିଗୁଡ଼ି ଅଞ୍ଚଳରେ ସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ଥିବାରୁ ସ୍ଥାନୀୟ ପୋଲିସ ସହ କେନ୍ଦ୍ରୀୟ ସୁରକ୍ଷା ବଳକୁ ମଧ୍ୟ ମୁତୟନ କରାଯାଇଛି। ମୃତକଙ୍କ ପଡ଼ୋଶୀ ଏବଂ ସ୍ଥାନୀୟ ଭାଜପା ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି।
ନିର୍ବାଚନ ହାରିବା ପରେ ଟିଏମସି କର୍ମୀମାନେ ହତାଶ ହୋଇ ଏଭଳି କାଣ୍ଡ ଭିଆଇଛନ୍ତି,” ବୋଲି ସ୍ଥାନୀୟ ଭାଜପା ନେତୃତ୍ୱ ଅଭିଯୋଗ କରିଛନ୍ତି। ଅପରପକ୍ଷରେ, ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ଏବଂ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛି।
Dharitri – Odisha’s No.1 Odia Daily

Share