ମୁମ୍ବାଇ,୧୬।୧୦: ମୁମ୍ବାଇରେ ଏକ ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହେବା ଅଭିନେତା ଇମ୍ରାନ ଖାନ୍ଙ୍କ ପାଇଁ ମହଙ୍ଗା ପଡ଼ିଛି । ତାଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍ ଜାରି ହୋଇଥିବା ଖବର ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ତାଙ୍କ ଗର୍ଲଫ୍ରେଣ୍ଡ ଲେଖା ୱାଶିଂଟନ୍ ଇନ୍ଷ୍ଟାଗ୍ରାମ୍ରେ ଏକ ବିଶେଷ ପୋଷ୍ଟ ସେୟାର କରିଛନ୍ତି । ଅନ୍ୟପକ୍ଷରେ, ଆମିର ଖାନ୍ଙ୍କ ପୂର୍ବତନ ପତ୍ନୀ ତଥା ଚଳଚ୍ଚିତ୍ର ନିର୍ମାତା କିରଣ ରାଓ ମଧ୍ୟ ଇମ୍ରାନଙ୍କ ସମର୍ଥନରେ ମତ ରଖିଛନ୍ତି। ଏହି ପ୍ରସଙ୍ଗକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି।
ଇମ୍ରାନ ଖାନ୍ଙ୍କ ଗର୍ଲଫ୍ରେଣ୍ଡ ଲେଖା ୱାଶିଂଟନ୍ ନିଜ ଇନ୍ଷ୍ଟାଗ୍ରାମ୍ରେ ଏକ ସେଲ୍ଫି ସେୟାର କରିଛନ୍ତି । ଏହି ଫଟୋଟି ମୁମ୍ବାଇରେ ହୋଇଥିବା ପ୍ରତିବାଦ ସମୟର ବୋଲି କୁହାଯାଉଛି। ଫଟୋରେ ଉଭୟ ଇମ୍ରାନ ଓ ଲେଖା ଏକ ଭ୍ୟାନ୍ ଭିତରେ ବସିଥିବା ଦେଖିବାକୁ ମିଳିଛି। ପ୍ରତିବାଦ ସମୟରେ ପୋଲିସ ଅଟକ ରଖିଥିବା ବେଳର ଏହି ଫଟୋ ସହ ଲେଖା ହାର୍ଟ ଇମୋଜି ମଧ୍ୟ ସେୟାର କରିଛନ୍ତି।
ଇମ୍ରାନଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍ ମିଳିବା ପରେ ଲେଖାଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିଛି। ଏହାକୁ ନେଇ ସୋସିଆଲ୍ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।
ଏହି ଘଟଣାରେ ଆମିର ଖାନ୍ଙ୍କ ପୂର୍ବତନ ପତ୍ନୀ ତଥା ଫିଲ୍ମ ନିର୍ମାତା କିରଣ ରାଓ ମଧ୍ୟ ଇମ୍ରାନଙ୍କ ସମର୍ଥନରେ ମତ ରଖିଛନ୍ତି । ସେ ନିଜ ଇନ୍ଷ୍ଟାଗ୍ରାମ୍ ଷ୍ଟୋରିରେ ପ୍ରତିବାଦ ସମୟର ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ଇମ୍ରାନ ଓ ଲେଖାଙ୍କୁ ପୋଲିସ ଅଟକ ରଖୁଥିବା ଦେଖାଯାଉଛି। ଭାରତ ଛାଡ଼ିବା ନୋଟିସ୍ ପ୍ରସଙ୍ଗରେ କିରଣ ବ୍ୟଙ୍ଗାତ୍ମକ ଭାବେ ଲେଖିଛନ୍ତି, “ବାଃ, ଏବେ ମୁମ୍ବାଇ ପୋଲିସ ମଧ୍ୟ ଆସିଗଲା।” ଇମ୍ରାନଙ୍କ ଭାରତ ସହ ସମ୍ପର୍କ ବିଷୟରେ ମଧ୍ୟ କିରଣ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଇମ୍ରାନଙ୍କ ବୟସ ୪୩ ବର୍ଷ ଏବଂ ସେଥିରୁ ୪୦ ବର୍ଷ ସେ ଭାରତରେ ବିତାଇଛନ୍ତି। ଏଠାରେ ସେ ପାଠପଢ଼ିଛନ୍ତି, କାମ କରିଛନ୍ତି, ସଫଳତା ଓ ବିଫଳତାର ସାମ୍ନା କରିଛନ୍ତି, ପ୍ରେମ କରିଛନ୍ତି ଏବଂ ଜୀବନର ସଂଘର୍ଷ ମଧ୍ୟ କରିଛନ୍ତି ବୋଲି କିରଣ ଉଲ୍ଲେଖ କରିଛନ୍ତି।
ଅଭିନେତ୍ରୀ ସବା ଆଜାଦ୍ ମଧ୍ୟ ଇମ୍ରାନଙ୍କ ସମର୍ଥନରେ ପ୍ରତିକ୍ରିୟା ଦେଇଛନ୍ତି। ଏହି ଘଟଣାକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ଏହାକୁ ଅଯୌକ୍ତିକ ବୋଲି କହିଛନ୍ତି।
ଖବର ଅନୁଯାୟୀ, ଅକ୍ଟୋବର ୧୦ ତାରିଖରେ ମୁମ୍ବାଇରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଏକ ପ୍ରତିବାଦ ଆୟୋଜିତ ହୋଇଥିଲା। ଏଥିରେ ଇମ୍ରାନ ଖାନ୍ ମଧ୍ୟ ସାମିଲ ହୋଇଥିଲେ। ଏହି ସମୟରେ ପୋଲିସ ତାଙ୍କୁ ଅଟକ ରଖିଥିଲା।