ଇସ୍ତଫାପତ୍ର ଲେଖିଛନ୍ତି ପୋପ୍‌

ରୋମ୍‌,୧୯।୧୨: ୨୦୧୩ରେ କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ଦାୟିତ୍ୱ ଗ୍ରହଣ କରିବା ପରେ ଏକ ଇସ୍ତଫା ପତ୍ର ଲେଖି ରଖିଥିବା ସଦ୍ୟ ସାକ୍ଷାତ୍‌କାରରେ କହିଛନ୍ତି। ଆଗାମୀ ଦିନରେ ଯେତେବେଳେ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ସେ କାର୍ଯ୍ୟ କରିବାକୁ ଅକ୍ଷମ ବୋଧ କରିବେ, ସେତିକିବେଳେ ସେ ନିଜ ପଦରୁ ଓହରି ପାରିବେ ବୋଲି ଉକ୍ତ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ସ୍ପେନ୍‌ର ଖବରକାଗଜ ଏବିସିକୁ ଦେଇଥିବା ସାକ୍ଷାତ୍‌କାରରେ ପୋପ୍‌ କହିଛନ୍ତି, ଏ ପ୍ରକାର ସ୍ଥିତି ଉପୁଜିଲେ ସେ ଉକ୍ତ ଇସ୍ତଫା ପତ୍ରକୁ କାର୍ଡିନାଲ ଟାର୍କିସିଓ ବେଟ୍ରୋନ୍‌ଙ୍କୁ ହସ୍ତାନ୍ତର କରିବା ପରେ ସେ ଏହାକୁ ଷ୍ଟେଟ୍‌ର ଭର୍ଟିକାଲ ସେକ୍ରେଟାରୀଙ୍କୁ ପ୍ରଦାନ କରିବେ।

ଶନିବାର ଫ୍ରାନ୍ସିସ୍‌ ୮୬ ବର୍ଷରେ ପଦାର୍ପଣ କରିଛନ୍ତି। ପେଟଜନିତ ସମସ୍ୟା ଭୋଗୁଥିବା ଫ୍ରାନ୍ସିସ୍‌ଙ୍କର ୨୦୨୧ରେ ଏକ ଅସ୍ତ୍ରୋପଚାର କରାଯାଇଥିଲା, ଯାହାପରେ ସେ ପୂରା ସୁସ୍ଥ ହୋଇଥିଲେ। ଏହାପରେ ଆଣ୍ଠୁ ସମସ୍ୟା ପାଇଁ ଚାଲିବାରେ କଷ୍ଟ ଅନୁଭୂତ ହେବା ଯୋଗୁ କିଛିଦିନ ସେ ହ୍ବିଲ୍‌ ଚେୟାରରେ ବସି ରହୁଥିବା ଦେଖିବାକୁ ମିଳିଥିଲା। ଫ୍ରାନ୍ସିସ୍‌ଙ୍କ ପୂର୍ବରୁ ବେନେଡିକ୍ସ ଚତୁର୍ଦ୍ଦଶ ପୋପ୍‌ ଦାୟିତ୍ୱରେ ଥିଲେ। ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସେ ନିଜ ପଦରୁ ଇସ୍ତଫା ଦେବା ପରେ ଫ୍ରାନ୍ସିସ୍‌ଙ୍କୁ ପରବର୍ତ୍ତୀ ପୋପ୍‌ ଭାବେ ଚୟନ କରାଯାଇଥିଲା। ଫ୍ରାନ୍ସିସ୍‌ ଥିଲେ ପ୍ରଥମ ଦକ୍ଷିଣ ଆମେରିକୀୟ, ଯେ ଏହି ଗୁରୁଦାୟିତ୍ୱ ବହନ କରିଛନ୍ତି। ୬୦୦ ବର୍ଷର ଇତିହାସରେ ବେନେଡିକ୍ସ ଚତୁର୍ଦ୍ଦଶ ପ୍ରଥମ ପୋପ୍‌ ଯେ ନିଜ ପଦରୁ ଇସ୍ତଫା ଦେଇଥିଲେ।

Share