Categories: ଜାତୀୟ

ଅର୍ଥନୀତିରେ ବିପର୍ଯ୍ୟୟ ଆଣିପାରେ ଦୁର୍ବଳ ମୌସୁମୀ

ନୂଆଦିଲ୍ଲୀ,୨୦।୬(ପି.ଟି.): ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମଲହର ପରେ ମୌସୁମୀ ଆସିଥିଲେ ହେଁ ଏହା ଅତ୍ୟନ୍ତ ଧିମା ଗତିରେ ଅଗ୍ରସର ହେଉଛି। ମୌସୁମୀ ଦୁର୍ବଳ ରହିଲେ ଭାରତର କୃଷିଭିତ୍ତିକ ଅର୍ଥନୀତିରେ ବିପର୍ଯ୍ୟୟ ଆସିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ସହ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାକୁ ହେଲେ ଭଲ ମୌସୁମୀ ବର୍ଷା ଜରୁରୀ। ଦେଶର ବାର୍ଷିକ ବୃଷ୍ଟିପାତର ୭୦ ପ୍ରତିଶତ ମୌସୁମୀରୁ ମିଳିଥାଏ। ଏହା ମୋଟ କୃଷିଜମିର ୬୦ ପ୍ରତିଶତକୁ ଜଳ ଯୋଗାଇଥାଏ। ଦେଶ ଜନସଂଖ୍ୟାରୁ ୫୦ ପ୍ରତିଶତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କୃଷି ଉପରେ ନିର୍ଭରଶୀଳ। ମୌସୁମୀ ଦୁର୍ବଳ ହେଲେ କୃଷି ଉତ୍ପାଦନ ହ୍ରାସ ପାଇବ ଓ ମୁଦ୍ରାସ୍ଫୀତି ବଢ଼ିବ।
ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁ ରବି ଫସଲ ଉତ୍ପାଦନ ଗୁରୁତର ବାଧାପ୍ରାପ୍ତ ହୋଇଛି। ଫଳରେ ସରକାର ଗହମ ରପ୍ତାନି ବନ୍ଦ କରିବା ସହ ଉତ୍ପାଦନ ପୂର୍ବାନୁମାନକୁ ୧୧.୩ ନିୟୁତ ଟନ୍‌ରୁ ୧୦୬.୪ ନିୟୁତ ଟନ୍‌କୁ ହ୍ରାସ କରିଛନ୍ତି। ତେଣୁ ମୌସୁମୀରେ ଅନିଶ୍ଚିତତା ଦେଖାଦେଲେ ଦେଶର ଖାଦ୍ୟ ସୁରକ୍ଷା ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଚଳିତ ବର୍ଷ ମୌସୁମୀ ସ୍ବାଭାବିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ଜୁନ୍‌ ମାସ ତୃତୀୟ ସପ୍ତାହରେ ମଧ୍ୟ ଏହା ଅଗ୍ରଗତି କରିପାରି ନାହିଁ। ତେଣୁ ଧାନ ବୁଣା ବିଳମ୍ବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଜୁନ୍‌ ୧୧ରେ ବୃଷ୍ଟିପାତ ୪୩ ପ୍ରତିଶତ କମ୍‌ ରହିଥିବାବେଳେ ଜୁନ୍‌ ୧୭ରେ ସେଥିରେ ଉନ୍ନତି ଘଟିଛି। ଏବେ ବର୍ଷା ପରିମାଣ ୧୮ ପ୍ରତିଶତ କମ୍‌ ରହିଥିବା ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଜୁନ୍‌ ୨୩ ପରେ ଉତ୍ତରପଶ୍ଚିମ ଭାରତରେ ବୃଷ୍ଟିପାତ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି। ବର୍ଷା ସବୁଆଡ଼େ ସମାନ ହୋଇ ନ ଥାଏ। କେତେକ ଅଞ୍ଚଳରେ କମ୍‌ ଓ କେଉଁଠି ବେଶି ବର୍ଷା ହୁଏ। ପରିମାଣ ଦୃଷ୍ଟିରୁ ଦେଖିଲେ ଏହା ସ୍ବାଭାବିକ ରହିଥିବା ଆଇଏମ୍‌ଡି ଡିଜି କହିଛନ୍ତି। ମୌସୁମୀ ପାଇଁ ଲା-ନିନା ସ୍ଥିତି ଭଲ ରହିଛି ଓ ବର୍ଷାଋତୁ ଶେଷ ପର୍ଯ୍ୟନ୍ତ ଏହା ରହିବ। ତେବେ ଭାରତ ମହାସାଗରରେ ନକାରାତ୍ମକ ଦ୍ୱିଧ୍ରୁବୀୟ (ଆଇଓଡି) ଯୋଗୁ ମୌସୁମୀ ଅଗ୍ରଗତିରେ ବାଧା ସୃଷ୍ଟି ହେବ। ତେବେ ମୋଟାମୋଟି ବର୍ଷା ସ୍ବାଭାବିକ ହେବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି। ସ୍କାଏମେଟ୍‌ ଓ୍ବେଦର ଅଧ୍ୟକ୍ଷ ଜି.ପି. ଶର୍ମା କହିଛନ୍ତି, କମ୍‌ ବୃଷ୍ଟିପାତ ଯୋଗୁ କୃଷିକୁ ନେଇ ଚିନ୍ତା ବଢ଼ିଛି। ତେବେ ଆଗାମୀ ୩/୪ ଦିନ ମଧ୍ୟରେ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଓ ବାଂଲାଦେଶ ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବାରୁ ଗାଙ୍ଗେୟ ସମତଳ ଭୂମିରେ ବୃଷ୍ଟିପାତ ବଢ଼ିବ ବୋଲି ସେ କହିଛନ୍ତି।

 

 

 

Share