ପୁନମ୍‌ ବହୁତ ଭଲ, ହେଲେ ବିଶ୍ୱସ୍ତ ନୁହନ୍ତି: ସାମ୍‌

ବମ୍ବେ: ପୁଣି ଚର୍ଚ୍ଚାରେ ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ। କଙ୍ଗନା ରାଣାଓ୍ବତଙ୍କ ଶୋ’ ‘ଲକ୍‌ଅପ୍‌’ରେ ସେ ନଜର ଆସୁଥିବା ବେଳେ ସ୍ବାମୀ ସାମ ବମ୍ବେଙ୍କ ବିରୋଧରେ ବିଷଦ୍‌ଗାର କରୁଛନ୍ତି । ସ୍ବାମୀ ତାଙ୍କୁ ନିର୍ଯାତନା ଦେଇଥିବାର କାହାଣୀ ସେ ବାରମ୍ବାର କହୁଥିବା ଦେଖାଯାଉଛି । ଏବେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସାମ୍‌ । ସେ ସ୍ତ୍ରୀ ପୁନମ ଲଗାଉଥିବା ନିର୍ଯାତନା ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା ବୋଲି କହିଛନ୍ତି ।

ସେ କୁହନ୍ତି, ମୋ’ ସ୍ତ୍ରୀ ବହୁତ ଭଲ । ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ଆମେ ପରସ୍ପରର ହାତ ଧରିଥିଲୁ। ହେଲେ ସେ ବିବାହର ତାତ୍ପର୍ଯ୍ୟ ତଥା ଗମ୍ଭୀରତାକୁ ବୁଝିପାରିଲେ ନାହିଁ । ତାଙ୍କ ଭିତରେ ବହୁତ ଭଲ ଗୁଣ ଅଛି ହେଲେ ସେ ବିଶ୍ୱସ୍ତ ନୁହନ୍ତି । ସେ ଜଣେ ଧୋକାବାଜ୍‌ । ସେ ଲଗାଉଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା। ପୁନମ ସବୁବେଳେ ଘରୋଇ ହିଂସାର ଶିକାର ହୋଇଥିବା ଅଭିଯୋଗ ଆଣୁଛନ୍ତି । ଏପରିକି ଘରେ, ବାହାରେ ମୋ’ ନାଁରେ ଅପପ୍ରଚାର ଚଳାଇଛନ୍ତି । ହେଲେ ତାଙ୍କୁ ଜଣାନାହିଁ ଘରୋଇ ହିଂସା କ’ଣ । ଏପରିକି ଆମ ହନିମୁନ ସମୟରେ ତାଙ୍କ ଗୋଟିଏ କଲ୍‌ରେ ପୋଲିସ ଆସି ମୋତେ ବାନ୍ଧିଥିଲା । ହେଲେ ଜଣେ ପୁରୁଷ ନିର୍ଯ୍ୟାତନାର ଶିକାର ହେଲେ ୨୦ ଥର ଫୋନ କଲେବି ପୋଲିସ ତାଙ୍କ କଥାକୁ ଗୁରୁତ୍ୱର ସହ ନେଇ ନ ଥାଏ । ଯାହାକି ମୋ ସହ ଘଟୁଛି ବୋଲି ସାମ କହିଛନ୍ତି ।

ନିଜ ବୈବାହିକ ଜୀବନରେ ଦେଖାଦେଇଥିବା ଝଡ଼ ସମ୍ପର୍କରେ ସାମ୍‌ କହିଛନ୍ତି, ଆମ ସମ୍ପର୍କରେ ଦେଖାଦେଇଥିବା ଫାଟର ମୁଖ୍ୟ କାରଣ ହେଉଛି ଅହଂକାର । ଆମ ୨ ଜଣ ପତିପତ୍ନୀ ଭାବେ ପ୍ରଥମେ କିଛି ଦିନ ଚଳିଥିଲେ ମଧ୍ୟ ଆମ ଉଭୟଙ୍କ ମଧ୍ୟରେ ସବୁବେଳେ ଅହଂଙ୍କାର ଦେଖାଦେଲା । ଅପରପକ୍ଷେ ପୁନମ ସର୍ବଦା ଚର୍ଚ୍ଚାରେ ରହିବାକୁ ଭଲ ପାଇଥାନ୍ତି । ଏଥିପାଇଁ ସେ ଭିତ୍ତିହୀନ ଅଭିଯୋଗ ଆଣୁଛନ୍ତି । ଆମ ଭିତରେ ଯାହା ସବୁ ଘଟିଲା ତାହା ପାଇଁ ମୁଁ କ୍ଷମା ପ୍ରାର୍ଥନା ବି କରିଛି । ହେଲେ ଏହାସତ୍ତ୍ୱେ ଆମ ସମ୍ପର୍କ ତିଷ୍ଠି ପାରିଲା ନାହିଁ ବୋଲି ସେ କହିଛନ୍ତି।

ତେବେ ପୁନମ ୨୦୨୦ ସେପ୍ଟେମ୍ବରରେ  ବୟଫ୍ରେଣ୍ଡ ତଥା ପ୍ରଯୋଜକ ସାମ୍‌ଙ୍କୁ ବିବାହ କରିଥିଲେ । ହେଲେ ବିବାହ ପରେ ପରେ ସାମ୍‌ଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଥିଲେ ପୁନମ । ଏପରିକି ୨୦୨୧ ନଭେମ୍ବରରେ ପୁନମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ନିର୍ଯାତନା ଅଭିଯୋଗରେ ସାମଙ୍କୁ ପୋଲିସ ବାନ୍ଧିଥିଲା ।

Share