Categories: ଜାତୀୟ

ମୁମ୍ବାଇ ଜେଲ ବାହାରେ ଶାହରୁଖଙ୍କୁ ଘେରିଲେ କ୍ୟାମେରାମ୍ୟାନ

ମୁମ୍ବାଇ,୨୧।୧୦: ମୁମ୍ବାଇର ଆର୍ଥର ରୋଡ୍‌ ଜେଲ ବାହାରେ ଗୁରୁବାର ମଧ୍ୟାହ୍ନରେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ ପହଞ୍ଚିବା ପରେ ତାଙ୍କୁ ଚାରି ଆଡ଼ୁ ଘେରି ଦେଇଥିଲେ କ୍ୟାମେରାମ୍ୟାନ। ଏହି ଘଟଣାକୁ ସୋନୁ ସୁଦ, ସ୍ବରା ଭାସ୍କର ଓ ପୂଜା ଭଟ୍ଟଙ୍କ ଭଳି ଅନେକ ବଲିଉଡ୍‌ ଅଭିନେତା ସମାଲୋଚନା କରିଛନ୍ତି।

ଗତ ୩ ତାରିଖରେ କ୍ରୁଜ ଜାହଜ ଉପରେ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ଚଢ଼ାଉ ପରଠାରୁ ଶାହରୁଖଙ୍କ ପୁଅ ଆର୍ଯ୍ୟନ ଜେଲରେ ଅଛନ୍ତି। ତାଙ୍କୁ ଜେଲରେ ଭେଟିଛନ୍ତି ଶାହରୁଖ।

ଶାହରୁଖ କିମ୍ବା ଆର୍ଯ୍ୟନଙ୍କ ନାମ ନ ନେଇ ସୋନୁ ସୁଦ ହିନ୍ଦୀରେ ଲେଖିଛନ୍ତି, କାହାର ଭାବନା ପଛରେ କ୍ୟାମେରା ଧରି ଦୌଡ଼ିବା ପୂର୍ବରୁ ଗୋଟିଏ କଥା ମନେ ରଖିବା ଉଚିତ। ଭାଗବାନଙ୍କ କ୍ୟାମେରା ତୁମ ଉପରେ ଅଛି। କାହିଁକି ନା ସବୁ ଖବର ଖବର ନୁହେଁ।

ସେହିଭଳି ପୂଜା ଲେଖିଛନ୍ତି, ପ୍ରିୟ ଗଣମାଧ୍ୟମ ବନ୍ଧୁମାନେ। ବର୍ତ୍ତମାନ ସମୟ ସଭିଙ୍କ ପାଇଁ କଷ୍ଟକର। ବାଇଟ୍‌ ନେବା ପାଇଁ ତୁମ ଉପରେ ଚାପ ଅଛି, ମୁଁ ବୁଝିଛି। କିନ୍ତୁ ଏଥିଲାଗି ନିଜ ସ୍ବାସ୍ଥ୍ୟ ଓ ସୁରକ୍ଷା ସହ ସାଲିସ କରିବା କ’ଣ ଉଚିତ। ଏଭଳି ଆଚରଣ ବିଷୟରେ ନିଜ ଛୁଆଙ୍କୁ କ’ଣ ଉତ୍ତର ଦେବ? ଦୁଃଖଦାୟକ। ଅଭିନେତାଙ୍କ ଏଭଳି ଟୁଇଟ୍‌କୁ ପ୍ରଶଂସା କରିଛନ୍ତି ଶାହରୁଖଙ୍କ ପ୍ରଶଂସକ।

Share