Categories: ଜାତୀୟ

୧୦ ମିନିଟରେ ପୋଡ଼ି ପାଉଁଶରେ ପରିଣତ ହେଲା ପୂଜା ପେଣ୍ଡାଲ, ଜୀବନ ବିକଳରେ ପୋଖରୀକୁ ଡେଇଁଲେ ଶ୍ରଦ୍ଧାଳୁ…

ଭଦୋହି,୩।୧୦ : ଉତ୍ତରପ୍ରଦେଶର ଭଦୋହି ସହରରେ ଏକ ଦୁର୍ଗା ପୂଜାପେଣ୍ଡାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଦୁଇ ଶିଶୁଙ୍କ ସମେତ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୪ ଜଣ ଲୋକ ଆହତ ଜହୋଇଇଛନ୍ତି। ରବିବାର ରାତି ପ୍ରାୟ ୯ ଟା ସମୟରେ ଏହି ଘଟଣା ଘଟିଥିଲା।

ଅଗ୍ନିକାଣ୍ଡ ସମୟରେ ଦୁର୍ଗା ମାତାଙ୍କ ଦର୍ଶନ ପାଇଁ ପେଣ୍ଡାଲରେ ୨୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ। ମଞ୍ଚରେ ଅଭିନୟ ଆରମ୍ଭ ହୋଇଥିବା ସମୟରେ ହଠାତ୍‌ ମଞ୍ଚ ନିକଟରେ ଥିବା ଅଞ୍ଚଳରେ ନିଆଁ ଲାଗିଯାଇଥିଲା। ନିଆଁ ଦ୍ରୁତ ଗତିରେ ବ୍ୟାପିଗଲା। ଫଳରେ ଲୋକମାନେ କ’ଣ ହୋଇଛି ତାହା ଜାଣିବାର ସୁଯୋଗ ମଧ୍ୟ ପାଇଲେ ନାହିଁ। ଚାରିଆଡେ ପାଟିତୁଣ୍ଡ ହେଉଥିଲା। ଲୋକମାନେ ବାହାରକୁ ଯିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେତେବେଳକୁ ନିଆଁ ମାତ୍ର ୧୦ ମିନିଟ ମଧ୍ୟରେ ପେଣ୍ଡାଲକୁ ପୋଡ଼ି ପାଉଁଶ କରି ଦେଇଥିଲା।

ଶ୍ରଦ୍ଧାଳୁମାନେ ଜୀବନ ବିକଳରେ ପେଣ୍ଡାଲ ପଛରେ ଥିବା ପୋଖରୀକୁ ଡେଇଁପଡିଥିଲେ। କିଛି ଲୋକ ସାହସ ଦେଖାଇ ପେଣ୍ଡାଲରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ, ଯଦିଓ ସେମାନେ ଏଥିରେ ସଫଳ ହୋଇପାରିନଥିଲେ।

କୁହାଯାଉଛି ଯେ ନିଆଁ ଲାଗିବା ସମୟରେ ନାଟକ ଚାଲିଥିଲା। ପ୍ରାୟ ୮ ରୁ ୯ ସେକେଣ୍ଡ ପାଇଁ ସବୁକିଛି ଠିକ ଥିଲା ଏବଂ ଉପସ୍ଥିତ ଶ୍ରଦ୍ଧାଳୁମାନେ ନାଟକକୁ ଉପଭୋଗ କରୁଥବଲେ। ହଠାତ୍‌ ନିଆଁ ଏହାର ଭୟଙ୍କର ରୂପ ନେଇଥିଲା। ଗଣମାଧ୍ୟମ ସହ କଥାବାର୍ତ୍ତା କରୁଥିବା ସମୟରେ ନିଆଁରେ ଜଳି ଯାଇଥିବା ଜଣେ ମହିଳା କହିଛନ୍ତି ଯେ କରେଣ୍ଟ ଯୋଗୁଁ ନିଆଁ ଲାଗିଛି ଏବଂ ଆମେ ବାହାରକୁ ଯାଇ ପାରିଲୁ ନାହିଁ। ଅଗ୍ନିଶମ ବିଭାଗର ପ୍ରାଥମିକ ଅନୁସନ୍ଧାନରେ ଶର୍ଟ ସର୍କିଟକୁ ଅଗ୍ନିକାଣ୍ଡର କାରଣ ବୋଲି କୁହାଯାଇଛି।

ଏହି ଘଟଣାରେ ୬୪ ଜଣ ଲୋକ ଜଳି ଯାଇଛନ୍ତି। ସେଥିମଧ୍ୟରୁ ୪୨ଜଣଙ୍କୁ ବାରାଣାସୀ ହସ୍ପିଟାଲକୁ ରେଫର୍‌ ହୋଇଥିବାବେଳେ ଓରାଇକୁ ୧୮ ଜଣ ଏବଂ ପ୍ରୟାଗକୁ ୪ ଜଣକୁ ରେଫର୍‌ କରାଯାଇଛି। ଅଗ୍ନିକାଣ୍ଡ ପରେ ନିଆଁକୁ ଆୟତ୍ତ କରାଯାଇଛି।

Share