ପାରମ୍ପରିକ ପୋଙ୍ଗଲ ପର୍ବ ଆରମ୍ଭ

ପାରଳାଖେମୁଣ୍ଡି:୧୪।୧: ଶୁକ୍ରବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି ତେଲୁଗୁ ସମ୍ପ୍ରଦାୟର ବଡ଼ ପର୍ବ ପୋଙ୍ଗଲ, ଯାହା ଦେଖିବାକୁ ମିଳିଛି ଗଜପତି ଜିଲାରେ। ଜିଲାରେ ବସବାସ କରୁଥିବା ତେଲୁଗୁ ସମ୍ପ୍ରଦାୟର ଲୋକେ ପାରମ୍ପରିକ ରୀତିନୀତିରେ କାଠଗଣ୍ଡି ଜାଳି ପୋଙ୍ଗଲ ପର୍ବ ଆରମ୍ଭ କରିଛନ୍ତି । ୪ ଦିନ ଧରି ଚାଲିବାକୁ ଥିବା ଏହି ପର୍ବ ଭୋଗୀ, ପାଣ୍ଡୁକୁ, କାନୁଗୁ, ମୁକାନୁଗୁ ଏହିଭଳି ନାମରେ ନାମିତ କରିଥା’ନ୍ତି।

ପ୍ରଥା ଅନୁସାରେ ମକର ସଂକ୍ରାନ୍ତି ପୂର୍ବଦିନ ବିଳମ୍ବିତ ରାତିରେ କାଠଗଣ୍ଡି ଜଳିବାର ପରମ୍ପରା ରହିଛି, ଯାହାକୁ ଭୋଗୀ କୁହାଯାଏ। ଦ୍ୱିତୀୟ ଦିନ ପାଣ୍ଡୁକୁ ନିଜ ପୂର୍ବଜଙ୍କ ପାଇଁ ସମର୍ପିତ କରିଥା’ନ୍ତି। ନୂତନ ବସ୍ତ୍ର ପିନ୍ଧି ପୂବର୍ଜଙ୍କୁ ଶ୍ରାଦ୍ଧ ଦେଇଥା’ନ୍ତି। ଏପରିକି କାନୁଗୁ ଓ ମୁକାନୁଗୁରେ ପିଠାପଣା କରି ବନ୍ଧୁବାନ୍ଧବଙ୍କୁ ଡାକି ପର୍ବକୁ ଧୁମ୍‌ଧାମରେ ପାଳନ କରିଥାନ୍ତି। ଏନେଇ ମକର ସଂକ୍ରାନ୍ତିକୁ ଲୋକେ ଉତ୍ସାହର ସହ ଅପେକ୍ଷା କରିଥା’ନ୍ତି। ବ୍ୟସ୍ତମୟ ଜୀବନରେ ଏହି ପର୍ବ ନିଜ ବନ୍ଧୁବାନ୍ଧବ ଓ ପରିଜନଙ୍କୁ ଏକତ୍ର ହେବା ସହ କିଛି ସମୟ ଅତିବାହିତ କରିବା ପାଇଁ ସୁଯୋଗ ସୃଷ୍ଟି କରିଥାଏ ବୋଲି ତେଲୁଗୁ ସମ୍ପ୍ରଦାୟର ଲୋକେ ପ୍ରକାଶ କରିଛନ୍ତି।