Categories: ଜାତୀୟ

ଦିଲ୍ଲୀରେ ବଢ଼ୁଛି ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୨୪।୧୦: ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ତର ଲଗାତର ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳେ ଅର୍ଥାତ୍‌ ଅକ୍ଟୋବର ୨୪ରେ ରବିବାର ତୁଳନାରେ ଦିଲ୍ଲୀ ଓ ନୋଏଡାରେ ପ୍ରଦୂଷଣ ସ୍ତର ଅଧିକ ବୃଦ୍ଧି ପାଇଛି। ଦିଲ୍ଲୀର ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ୨୭୬ ରହିଥିବା ବେଳେ ନୋଏଡାରେ ବାୟୁମାନ ସୂଚକାଙ୍କ ୩୧୯ରେ ପହଞ୍ଚିଥିବା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟରୁ ଜଣାପଡ଼ିଛି। ଦୀପାବଳି ପୂର୍ବରୁ ଦିଲ୍ଲୀର ବାୟୁ ପ୍ରଦୂଷଣ ୭ ବର୍ଷରେ ସର୍ବନିମ୍ନ ରେକର୍ଡ କରାଯାଇଛି। ଏଥିରୁ ଅନୁମାନ କରାଯାଉଛି ଯେ, ରାତିରେ ଦୀପାବଳୀରେ ଲୋକମାନେ ବାଣ ଫୁଟାଇବା ପରେ ପ୍ରଦୂଷଣ ଆହୁରି ବଢ଼ିପାରେ। ସାଧାରଣତଃ ଏକ୍ୟୁଆଇ ଶୂନରୁ ୫୦ ମଧ୍ୟରେ ରହିଲେ ଏହାକୁ ଉତ୍ତମ ବିବେଚନା କରାଯାଉଥିବା ବେଳେ ୫୧ରୁ ୧୦୦କୁ ସନ୍ତୋଷଜନକ, ୧୦୧ରୁ ୨୦୦କୁ ମଧ୍ୟମ ଏବଂ ୨୦୧ରୁ ୩୦୦କୁ ନିମ୍ନମାନର, ୩୦୧ରୁ ୪୦୦କୁ ଅତ୍ୟନ୍ତ ନିମ୍ନମାନର ଏବଂ ୪୦୧ରୁ ୫୦୦କୁ ଗମ୍ଭୀର ଧରାଯାଇଥାଏ। ଦୀପାବଳିରେ ବାଣ ନ ଫୁଟିଲେ ମଧ୍ୟ ଦିଲ୍ଲୀର ବାୟୁ ଅତ୍ୟନ୍ତ ନିମ୍ନ ମାନକୁ ଖସିପାରେ ଏବଂ ବାଣ ଫୁଟାଗଲେ ଏହା ଗମ୍ଭୀର ସ୍ଥିତିକୁ ଆସିପାରେ ବୋଲି ଭୂବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ଥିବା ଏସ୍‌ଏଏଫ୍‌ଏଆର୍‌ (ସିଷ୍ଟମ ଅଫ୍‌ ଏୟାର କ୍ୱାଲିଟି ଆଣ୍ଡ୍‌ ଓ୍ବେଦର ଫୋରକାଷ୍ଟିଂ ଆଣ୍ଡ୍‌ ରିସର୍ଚ୍ଚ) ପକ୍ଷରୁ ସତର୍କ କରିଦିଆଯାଇଛି।

Share