ଭୁବନେଶ୍ୱର,୬।୧: ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବା ବେଳେ ଏହା ଏକ ପ୍ରକାର ଚିନ୍ତାର କାରଣ ସାଜିଛି । କାଲି ବାଲେଶ୍ବର ପାଇଁ କଟକଣା ଜାରି କରାଯାଇଥିବା ବେଳେ ଆଜି ଟ୍ୱିନ୍ ସିଟିରେ ଲାଗିଲା କଟକଣା । ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ ବନ୍ଦ ରଖାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ବାହାରେ ଆଵର୍ଜନା କିମ୍ବା ଢ଼ାବାରେ କୋଇଲା ଜାଳିବା ମନା କରାଯାଇଛି । ତେବେ ଏହି କଟକଣା କେତେ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ସେନେଇ କୌଣସି ସୂଚନା ମିଳିପାରି ନାହିଁ ।
ହୋଟେଲ୍ ଢାବାରେ କାଠ ଓ କୋଇଲା ଜାଳିବା ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଡିପୋ ଓ ଷ୍ଟାଣ୍ଡ୍ରେ ନିୟମିତ ବସ୍ ଧୋଇବାକୁ CRUTକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଖୋଲା ସ୍ଥାନରେ ଆବର୍ଜନା ଜାଳିଲେ ୫ହଜାର ଫାଇନ୍ । ସ୍କୁଲ୍ରେ ମଧ୍ୟାହ୍ନ ଭୋଜନ ପାଇଁ ସ୍ବଚ୍ଛ ଜାଳେଣି ବ୍ୟବହାର ପରାମର୍ଶ । ଧୂଳି ଉଡୁଥିବା ସ୍ଥାନରେ ପାଣି ସିଞ୍ଚନ ପାଇଁ ବିଏମ୍ସିର ନିର୍ଦ୍ଦେଶ ଦେଇଛି ।
ପ୍ରକାଶଥାଉକି, ସୋମବାର ବାଲେଶ୍ବରରେ ସାତଦିନ ପାଇଁ କଟକଣା ଜାରି କରାଯାଇଥିଲା । ପ୍ରତିଦିନ ସନ୍ଧ୍ୟା ୬.୦୦ ରୁ ପ୍ରଭାତ ୧୦.୦୦ ପର୍ଯ୍ୟନ୍ତ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ନିଷିଦ୍ଧ ଘୋଷଣା କରାଯାଇଥିଲା । ପୌରପାଳିକା/ULB ଓ NHAI ପକ୍ଷରୁ ସମସ୍ତ ରାସ୍ତାରେ ଦିନକୁ ଅତି କମରେ ୩ ଥର ପାଣି ପକାଇବା ନେଇ କୁହାଯାଇଥିଲା ।


