ପ୍ରଦୂଷଣ ବଢ଼ାଉଛି ଫ୍ଲାଇ ଆଶ

ବଇଣ୍ଡା, ୧୮।୨(ଡି.ଏନ.ଏ.)
ଅନୁଗୋଳ ଜିଲା ବଇଣ୍ଡା-ଆଠମଲ୍ଲିକ ପୂର୍ତ୍ତ ବିଭାଗ ରାସ୍ତାର ସାନହୁଲା ନିକଟରେ ଥିବା ଏକ ବେସରକାରୀ ଜମିରେ ଗଦା କରି ରଖାଯାଇଥିବା ଫ୍ଲାଇ ଆଶ ପ୍ରଦୂଷଣ ବଢ଼ାଉଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଉକ୍ତ ପାଉଁଶ ଗଦାକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ରାସ୍ତା ପାର୍ଶ୍ୱରେ ଥିବା ଉକ୍ତ ବେସରକାରୀ ଜମିରେ ନାଲ୍‌କୋରୁ ନିର୍ଗତ ଫ୍ଲାଇ ଆଶ ଆଣି ଗଚ୍ଛିତ କରି ରଖାଯାଇଛି। ସାମାନ୍ୟ ପବନରେ ଉକ୍ତ ପାଉଁଶ ଉଡ଼ି ଯାତାୟାତରେ ବ୍ୟାଘାତ ସୃଷ୍ଟି କରୁଛି। ପରିବେଶ ଧୂମମୟ ହୋଇଯାଉଛି। ଏହାଦ୍ୱାରା ଆଖପାଖ ଅଞ୍ଚଳରେ ହେଉଥିବା ଚାଷ ଉଜୁଡ଼ିଗଲାଣି। ଚାଷୀମାନେ ବ୍ୟାପକ କ୍ଷତି ସହୁଛନ୍ତି। ତେଣୁ ଏହାର ତୁରନ୍ତ ପ୍ରତିକାର କରିବାକୁ ଗ୍ରାମବାସୀ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।