ବୁଥ୍‌କୁ ଗଲେ ପୋଲିଂ ପାର୍ଟି

ସମ୍ବଲପୁର,୯ା୫(ବ୍ୟୁରୋ): ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ମେ ୧୦ରେ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ପୋଲିଂ ପାର୍ଟି ବୁଥ୍‌କୁ ଯାଇଛନ୍ତି। ଇଭିଏମ୍‌ ଓ ଅନ୍ୟାନ୍ୟ କାଗଜପତ୍ର ସହ ପୋଲିସ ସୁରକ୍ଷାରେ ସେମାନେ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ କେନ୍ଦ୍ରକୁ ଯାଇଛନ୍ତି। ୨୫୩ ବୁଥ୍‌ ପାଇଁ ୧୦୧୨ କର୍ମଚାରୀ ନିଯୁକ୍ତ କରାଯାଇଥିବା ବେଳେ ୧୦୮ଜଣ ସଂରକ୍ଷିତ ରହିଛନ୍ତି। କେବଳ ମହିଳାମାନଙ୍କ ପାଇଁ ୨୬ ଗୋଟି ବୁଥ୍‌ ରହିଛି। କର୍ମଚାରୀମାନେ ମତଦାନ ଦିନ ନିର୍ଦ୍ଧାରିତ ସମୟ ପୂର୍ବରୁ କେନ୍ଦ୍ରରେ ପହଞ୍ଚତ୍ବେ।
ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ଭୋଟର ଓ ଅଧିକାରୀମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରତି ବୁଥ୍‌ରେ ଥଣ୍ଡା ପାନୀୟ ଜଳ, ଛାଇ କରିବା ସହ କେତେକ ବୁଥ୍‌ରେ ସରବତ ଓ ଓଆର୍‌ଏସ୍‌ ପାଣି ଦିଆଯିବ। ୫୯ ଗୋଟି ମେଡିକାଲ ପାଟ୍ରୋଲିଂ ଗାଡି ରହିବ। ସନ୍ଧ୍ୟା ୬ଟା ପରେ ବାହାରୁ ଆସିଥିବା ବ୍ୟକ୍ତିମାନେ ଝାରସୁଗୁଡ଼ା ବିଧାନସଭା କ୍ଷେତ୍ର ଛାଡ଼ି ଯିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ବିଧାନସଭା ଅଧୀନରେ ମୋଟ ୨୫୩ ବୁଥ୍‌ରେ ମତଦାନ ହେବ। ସେଥିମଧ୍ୟରୁ ୧୪୪ ସମ୍ବେଦନଶୀଳ ବୁଥ୍‌ରେ କେନ୍ଦ୍ରୀୟ ସୁରକ୍ଷା ବଳ ନିଯୁକ୍ତ କରାଯାଇଛି। ମତଦାନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ବୁଥ୍‌ରେ ଭିଡିଓଗ୍ରାଫି କରାଯିବ। ଏହାର ସିଧା ପ୍ରସାରଣ ଜାତୀୟ ନିର୍ବାଚନ କମିଶନ, ରାଜ୍ୟ ନିର୍ବାଚନ କମିଶନଙ୍କ ସମେତ ଜିଲା ସୁରକ୍ଷା ଓ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନେ ଦେଖିପାରିବେ। ଏହା ପ୍ରଥମକରି ହେଉଥିବା ଝାରସୁଗୁଡ଼ା ଏସ୍‌ପି ପରମାର ସ୍ମିଥ୍‌ କହିଛନ୍ତି। ସେ ଆହୁରି କହିଛନ୍ତି, ସନ୍ଧ୍ୟା ୬ଟାରେ ନିର୍ବାଚନୀ ପ୍ରଚାର ଶେଷ ହୋଇଯିବ। ଆଗକୁ ୪୮ ଘଣ୍ଟା ଗତିବିଧି ଉପରେ କଡ଼ା ନଜର ରଖାଯିବ। ଏଥିପାଇଁ ସହର ପ୍ରବେଶ ପଥ ଓ ସହର ଭିତର ବିଭିନ୍ନ ସ୍ଥାନରେ ନାକା କରାଯିବ। ନିର୍ବାଚନ ଶାନ୍ତିଶୃଙ୍ଖଳାରେ ହେବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ୧୯ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ୧୦୦ଜଣ ପୋଲିସ ଅଫିସ, ୩ ଶହ କନ୍‌ଷ୍ଟେବଲ, ୧୫୦ରୁ ଅଧିକ ହୋମ୍‌ଗାର୍ଡ ନିଯୁକ୍ତ କରାଯିବ। ୨୫ ଗୋଟି ପାଟ୍ରୋଲିଂ ପାର୍ଟି ରହିବେ। ପ୍ରଶାସନ ଚିହ୍ନଟ କରିଥିବା ଓ ଦଳୀୟ ପ୍ରାର୍ଥୀଙ୍କ ସୁପାରିସ କ୍ରମେ ମୋଟ ୨୫୩ ବୁଥ୍‌ରୁ ୧୪୪ ସମ୍ବେଦନଶୀଳ ବୁଥ୍‌ରେ ୭ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷାବଳ ନିୟୋଜିତ ରହିବେ। ମତଦାତା ଓ ପୋଲିଂ ପାର୍ଟିକୁ ମଧ୍ୟ ସୁରକ୍ଷା ଦେବାକୁ ବ୍ୟବସ୍ଥା କରାଯାଇଛି ବୋଲି ଏସ୍‌ପି ପରମାର କହିଛନ୍ତି।