ପୋଲ କାମ ସରୁନି, ନାଳରେ ପଶି ଯାତାୟାତ

ବଇଣ୍ଡା,୫।୯(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ମଇମୁରା ପଞ୍ଚାୟତ ମଇମୁରାଠାରୁ କଳଚିକଟାକୁ ସଂଯୋଗ ପାଇଁ ମଇମୁରାଠାରେ ନିର୍ମାଣ ହେଉଥିବା ପୋଲ କାର୍ଯ୍ୟ ସରୁନାହିଁ। ଫଳରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ପୋଲ କାମ ଶେଷ ହେଉ ନ ଥିବା ଯୋଗୁ ଏହା ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀ ନାଳ ଭିତରେ ପଶି ଯାତାୟାତ କରୁଛନ୍ତି। ଏ ନେଇ କଳଚିକଟା ଗ୍ରାମବାସୀ ସୋମବାର ଅନୁଗୋଳ ଜିଲାପାଳଙ୍କୁ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି।
ଗ୍ରାମବାସୀ କହିଛନ୍ତି, ମଇମୁରା ନାଳ ଭିତରେ ପଶି ଗୋପପୁର, କଳଚିକଟା ଅଞ୍ଚଳବାସୀ ଯାତାୟାତ କରୁଛନ୍ତି। ଦୀର୍ଘ ୧୦ ବର୍ଷ ହେବ ଉକ୍ତ ନାଳ ଉପରେ ଏକ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରି କରିଆସୁଥିଲେ। ୨୦୨୧-୨୨ ମସିହାରେ ବ୍ଲକ ପ୍ରଶାସନ ପଞ୍ଚାୟତର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅନ୍ତର୍ଭୁକ୍ତ କରି ୨୦ ଲକ୍ଷ ଟଙ୍କା ବ୍ୟୟରେ ଉକ୍ତ ନାଳ ଉପରେ ପୋଲ ନିର୍ମାଣ କରୁଛି। ପୋଲ କାମ ୭୦ ପ୍ରତିଶତ ଶେଷ ହୋଇଥିବାବେଳେ ରାସ୍ତା, ରିଟଙ୍ଗି ୱାଲ୍‌ ନିର୍ମାଣ କରାଯାଉନାହିଁ। ବିଲ୍‌ ପାସ କରିବାରେ ବିଳମ୍ବ କରାଯାଉଥିବା ଯୋଗୁ ଉକ୍ତ କାମ ସମ୍ପୂର୍ଣ୍ଣ ହୋଇପାରୁ ନ ଥିବା ଅଭିଯୋଗ ହୋଇଛି। ଫଳରେ ବର୍ଷା ସମୟରେ ୩ ରୁ ୪ ଫୁଟ ପାଣି ଭିତରେ ପଶି ଅଞ୍ଚଳବାସୀ ଯାତାୟାତ କରୁଛନ୍ତି। ତୁରନ୍ତ କାମ ସମ୍ପୂର୍ଣ୍ଣ କରିବା ପାଇଁ କଳିଚିକଟା ଗ୍ରାମବାସୀ ୧ ଫେବୃୟାରୀ ୨୦୨୩ ରେ ବ୍ଲକ ପ୍ରଶାସନ, ଆଠମଲ୍ଲିକ ବିଧାୟକ, ଜିଲାପାଳଙ୍କୁ ଅଭିଯୋଗ କରାଇଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଏଥିପ୍ରତି ଅନୁଗୋଳ ଜିଲାପାଳ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ କୈଳାଶ ସାହୁ, କୈବଲ୍ୟ ସାହୁ, ଚିତ୍ତରଞ୍ଜନ ସାହୁ, ରୁଷି ନାୟକ, କୁନୁ ନାୟକ, ପ୍ରମୁଖ ଦାବି କରିଛନ୍ତି। ଏ ନେଇ ଆଠମଲ୍ଲିକ ଉପଜିଲାପାଳ ଜିତେନ୍ଦ୍ର ପାତ୍ର କହିଛନ୍ତି, ପୋଲ କାମ ସମାପ୍ତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବ।