୧୦ବର୍ଷ ବିତିଗଲାଣି, ସରୁନି କେନାଲ ପୋଲ

ଖଇରା,୧୮ା୩(ଡି.ଏନ.ଏ.): ଜଳସେଚନ ବିଭାଗର ବିଦ୍ୟାଧରପୁର ଡିଭିଜନ ଖଇରା ସବଡିଭିଜନ ଅନ୍ତର୍ଗତ ସାରକୋଣା-ଭଞ୍ଜପଦା ମଝିରେ ଅନ୍ୟୁନ ୧୦ବର୍ଷ ତଳେ ଆରମ୍ଭ ହୋଇଥିବା ପୋଲ ଏ ପର୍ଯ୍ୟନ୍ତ ସରିପାରିନି। ଫଳରେ ୨୦ଖଣ୍ଡ ଗ୍ରାମର ଲୋକେ ୧୦ବର୍ଷ ଧରି ଡାଇଭର୍ସନରେ ଯାତାୟାତ କରୁଛନ୍ତି । ବର୍ଷାଦିନେ ପାଣି ଜମି କୃତ୍ରିମ ବନ୍ୟା ସୃଷ୍ଟି କରୁଛି। ଏହାଦ୍ୱାରା ଶହ ଶହ ଏକର ଜମିର ଚାଷ ମଧ୍ୟ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅସୁବିଧାର ସମ୍ମୁଖୀନ ହେଉଥିବା ଔପଦା ଖଇରା ବ୍ଲକର ବିଭିନ୍ନ ଗ୍ରାମର ଅଧୀବାସୀ ଦାବି କରିଛନ୍ତି।
ବାମପାର୍ଶ୍ୱ ଆମ୍ବହତା କେନାଲ ଖଇରା-ଔପଦା ରାସ୍ତାର ଭଞ୍ଜପଦା ନିକଟରେ ରାସ୍ତାକୁ ଅତିକ୍ରମ କରୁଥିବାରୁ ଯାତାୟାତ ପାଇଁ ଅନ୍ୟୁନ ୧୦ବର୍ଷ ତଳେ ଏକ ବଡ ପୋଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପାଖାପାଖି ୫୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ପୋଲର ଆରମ୍ଭ କାମ ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ। ଡାଇଭର୍ସନ ମଧ୍ୟ ଠିକ ଭାବେ ହୋଇ ନ ଥିବାରୁ ଖଇରା ଓ ଔପଦା ୨ବ୍ଲକକୁ ସଂଯୋଗ କରୁଥିବା ଏହି ମୁଖ୍ୟ ସଡ଼କ ପଥରେ ଯାତ୍ରୀମାନେ ଅକଥନୀୟ ଦୁର୍ଦ୍ଦଶାର ଶିକାର ହୋଇଥିଲେ। ଡିଭିଜନର ଯନ୍ତ୍ରୀମାନେ ମଧ୍ୟ କାର୍ଯ୍ୟକୁ ଠିକ୍‌ ଭାବେ ତଦାରଖ ନ କରିବାରୁ ଠିକାଦାର ବେପରୁଆ ଭାବେ ଏହି କାର୍ଯ୍ୟ କରି ବିଲ୍‌ ଉଠାଇ ଚାଲିଥିଲେ। ପରେ ଠିକାଦାର କାର୍ଯ୍ୟଛାଡ଼ି ଚାଲିଯିବାରୁ ପୋଲ ୭ଗୋଟି ପିଲାର ମଧ୍ୟରେ ସୀମିତ ହୋଇରହିଛି।
ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ବସନ୍ତ ଜେନାଙ୍କୁ ପଚାରିବାରୁ ପୁରୁଣା ଟେଣ୍ଡର ବାତିଲ ହୋଇ ନୂଆ ଟେଣ୍ଡର ହୋଇଛି। ଖୁବ୍‌ଶୀଘ୍ର ପୋଲ ସମ୍ପୂର୍ଣ୍ଣ କରିବାର ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି ।