ନୂଆଦିଲ୍ଲୀ,୧୪।୯: ନୂଆଦିଲ୍ଲୀରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀର ସଫଳ ସମାପ୍ତି ପରେ ଦେଶରେ ଏକ ନୂଆ ରାଜନୈତିକ ବିବାଦ ଦେଖାଦେଇଛି। ଏହି ବିବାଦ ସମ୍ମିଳନୀ ଅବସରରେ ବିଦେଶୀ ଅତିଥିମାନଙ୍କ ପାଇଁ ଆୟୋଜିତ ଭୋଜିରେ ପରିବେଷଣ କରାଯାଇଥିବା ନିରାମିଷ ଖାଦ୍ୟକୁ ନେଇ ସୃଷ୍ଟି ହୋଇଛି ଏବଂ ଏହା କଂଗ୍ରେସ ଓ ଭାଜପା ନେତାଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିଛି। ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ‘ଏକ୍ସ’ (X) ରେ ଲେଖିଛନ୍ତି, ‘ସୂଚନା ପାଇଁ କହିରଖୁଛି ଯେ, ୮୦ ପ୍ରତିଶତ ଭାରତୀୟ ଆମିଷାଶୀ ଅଟନ୍ତି। ଭାରତୀୟ ଆମିଷ ଖାଦ୍ୟ ଅତ୍ୟନ୍ତ ସ୍ବାଦଯୁକ୍ତଏବଂ ମୋ ଭଉଣୀଙ୍କ ଦ୍ୱାରା ପ୍ରସ୍ତୁତ ‘ଛୋଲେ-ଭଟୁରେ’ ମଧ୍ୟ ସେହିପରି ସ୍ବାଦିଷ୍ଟ।’ ବ୍ରିକ୍ସ ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଆୟୋଜିତ ଭୋଜିର ଗୋଟିଏ ଦିନ ପରେ ରାହୁଲ ଗାନ୍ଧୀ ଏହି ମନ୍ତବ୍ୟ ଦେଇଛନ୍ତି।
ଏହା ପରେ, କଂଗ୍ରେସ ନେତା ପୱନ ଖେରା ମଧ୍ୟ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ‘X’ (ଟୁଇଟର) ରେ ପୋଷ୍ଟ କରି ସେ ଲେଖିଥିଲେ, ‘ଅନ୍ୟମାନଙ୍କ ଉପରେ ନିଜର ଖାଦ୍ୟାଭ୍ୟାସ ଲଦି ଦେବାର ଅଭ୍ୟାସ ଭାଜପାର ପୂର୍ବରୁ ରହିଛି। ବର୍ତ୍ତମାନ ସେମାନେ ଅନ୍ତର୍ଜାତୀୟ ସ୍ତରର ବିଶିଷ୍ଟ ଅତିଥିମାନଙ୍କ ଉପରେ ମଧ୍ୟ ଏହା ଲଦି ଦେଉଛନ୍ତି। ଭାରତ ବିଭିନ୍ନ ସଂସ୍କୃତିର ଦେଶ ଏବଂ ଏହାର ଆମିଷ ଖାଦ୍ୟ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ସରକାର କାହିଁକି ଏହି ବିବିଧତାକୁ ବିଶ୍ୱଠାରୁ ଲୁଚାଇବାକୁ ଚାହୁଁଛନ୍ତି?’ ଏହି ମନ୍ତବ୍ୟ ପରେ ଭାଜପା କଂଗ୍ରେସ ନେତାଙ୍କୁ କଡ଼ା ଜବାବ ଦେଇଥିଲା।
ଟିଏମସି (TMC) ସାଂସଦ ମହୁଆ ମୋଇତ୍ରା ରାତ୍ରିଭୋଜନର ତାଲିକା (ମେନୁ) କୁ ନେଇ ବ୍ୟଙ୍ଗ କରିଥିଲେ। ‘X’ ରେ ହାସ୍ୟରସାତ୍ମକ ଢଙ୍ଗରେ ପୋଷ୍ଟ କରି ସେ ଲେଖିଥିଲେ, ‘ଯଦି ମୁଁ ଗସ୍ତରେ ଆସିଥିବା ବ୍ରିକ୍ସ (BRICS) ନେତାମାନଙ୍କୁ ଏହି ଖାଦ୍ୟ ତାଲିକାକୁ ଏଡ଼ାଇବାକୁ ପରାମର୍ଶ ଦିଏ ଏବଂ ସୁରକ୍ଷାକର୍ମୀଙ୍କୁ ନିକଟସ୍ଥ ପ୍ରସିଦ୍ଧ ‘କରିମ୍ସ’ (Karim’s) ରୁ କିଛି ‘ବାରା କବାବ’ (Barra Kebabs) ଆଣିବାକୁ କୁହେ, ତେବେ କ’ଣ ମୋତେ ଜଣେ ‘ଖରାପ ସାଂସଦ’ ବୋଲି ବିବେଚନା କରାଯିବ?”
ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ‘ବ୍ରିକ୍ସ’ (BRICS) ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ସମ୍ମିଳନୀର ସଫଳତାରୁ ଲୋକଙ୍କ ଦୃଷ୍ଟି ହଟାଇବାକୁ ଚେଷ୍ଟା କରୁଛି। ସଂସଦୀୟ ବ୍ୟାପାର ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଖାଦ୍ୟ ତାଲିକାକୁ ନେଇ ରାଜନୀତି କରୁଥିବା ନେଇ କଂଗ୍ରେସ ଦଳକୁ ସମାଲୋଚନା କରିଛନ୍ତି। ‘ଏକ୍ସ’ (X) ରେ ଏକ ପୋଷ୍ଟ କରି ସେ ଲେଖିଛନ୍ତି, ‘ମୁଁ ବିଶ୍ୱାସ କରିପାରୁନାହିଁ ଯେ କଂଗ୍ରେସ ଦଳ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ନେତାମାନଙ୍କୁ ପରଷା ଯାଇଥିବା ଖାଦ୍ୟ ତାଲିକାକୁ ନେଇ ମଧ୍ୟ ରାଜନୀତି କରୁଛି। ଆମର ଅତିଥିମାନେ ଭାରତୀୟ ନିରାମିଷ ଖାଦ୍ୟର ଆନନ୍ଦ ନେଇଥିଲେ, ଯାହା ସ୍ବାଦ ଓ ପୁଷ୍ଟିଗୁଣରେ ଭରପୂର ଏବଂ ଯେଉଁଥିରେ ବିଭିନ୍ନ ଅଞ୍ଚଳର ପରମ୍ପରା ସାମିଲ ରହିଛି।’ ସେ କହିଛନ୍ତି ଯେ ଭାରତୀୟ ନିରାମିଷ ଖାଦ୍ୟ ବିବିଧତା, ସ୍ବାଦ ଓ ପୁଷ୍ଟିଗୁଣ ପ୍ରଦାନ କରିବା ସହ ଭାରତୀୟ ସଂସ୍କୃତିର ପ୍ରତିଫଳନ ଘଟାଇଥାଏ; ବିଦେଶୀ ଅତିଥିମାନେ ମଧ୍ୟ ଏହାକୁ ବେଶ ଉପଭୋଗ କରିଥିଲେ।
କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱାଲେ କହିଛନ୍ତି ଯେ ରାହୁଲ ଗାନ୍ଧୀ ହୁଏତ ଆମିଷ ଖାଦ୍ୟ ଖାଉଥାଇପାରନ୍ତି, କିନ୍ତୁ ବର୍ତ୍ତମାନର ପ୍ରସଙ୍ଗ ଆମିଷ ଖାଦ୍ୟ ସହିତ ଜଡ଼ିତ ନୁହେଁ। ସେ ଉଲ୍ଲେଖ କରିଛନ୍ତି ଯେ ଅଂଶଗ୍ରହଣକାରୀ ସମସ୍ତ ଦେଶର ମୁଖ୍ୟମାନେ ପାରସ୍ପରିକ ସହଯୋଗ ଓ ସମର୍ଥନ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ତାଙ୍କ ମତରେ ଏହି ସମ୍ମିଳନୀ ସଫଳ ହୋଇଥିଲା। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଯାହା କୁହନ୍ତୁ ନା କାହିଁକି, ଏଠାରେ ଆମିଷ ଖାଦ୍ୟର ପ୍ରସଙ୍ଗ ପ୍ରାସଙ୍ଗିକ ନୁହେଁ।
ଏହି ପରିସ୍ଥିତିକୁ ନେଇ AIMIM ନେତା ୱାରିସ ପଠାନ କଟାକ୍ଷ କରି କହିଛନ୍ତି ଯେ ଖାଦ୍ୟ ତାଲିକାରୁ ମଟନ (ଛେଳି ମାଂସ) ଓ ଚିକେନ (କୁକୁଡ଼ା ମାଂସ) ବାଦ ପଡ଼ିଥିଲା; ତାଙ୍କ ଯୁକ୍ତି ହେଲା ଯେ ଏଭଳି କାର୍ଯ୍ୟକ୍ରମରେ ଭାରତୀୟ ଖାଦ୍ୟଶୈଳୀର ସମ୍ପୂର୍ଣ୍ଣ ବିବିଧତା ପ୍ରଦର୍ଶିତ ହେବା ଉଚିତ। ବିରୋଧୀ ଦଳକୁ ଟାର୍ଗେଟ କରି ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କହିଛନ୍ତି, ‘ଯେତେବେଳେ ସମ୍ମିଳନୀ ବିଷୟରେ ସମାଲୋଚନା କରିବା ପାଇଁ ବିରୋଧୀଙ୍କ ପାଖରେ କେବଳ ଖାଦ୍ୟ ତାଲିକା ହିଁ ଏକମାତ୍ର ବିଷୟ ରହିଛି, ସେତେବେଳେ ଏହା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ BRICS ସମ୍ମିଳନୀ କେତେ ସଫଳ ହୋଇଛି।’ ସେ ଅଭିଯୋଗ କରିଛନ୍ତି ଯେ ବିଶ୍ୱସ୍ତରୀୟ ସହମତି ସୃଷ୍ଟି କରୁଥିବା ଏକ ରାଷ୍ଟ୍ର ଭାବରେ ଭାରତର ଉତ୍ଥାନକୁ ଦେଖି କଂଗ୍ରେସ ଦଳ ଅସନ୍ତୁଷ୍ଟ ହୋଇପଡ଼ିଛି।
ଭାରତ ମଣ୍ଡପମରେ, ବ୍ରିକ୍ସ (BRICS) ଅତିଥିମାନଙ୍କ ପାଇଁ ଏକ ସ୍ବତନ୍ତ୍ର ନିରାମିଷ ଭୋଜିର ଆୟୋଜନ କରାଯାଇଥିଲା। ଏଥିରେ ଭାରତର ବିଭିନ୍ନ ଅଞ୍ଚଳର ପାରମ୍ପାରିକ ସ୍ବାଦ ଓ ଖାଦ୍ୟକୁ ଆଧୁନିକ ଶୈଳୀରେ ଉପସ୍ଥାପନ କରାଯାଇଥିଲା। ଏହି ଭବ୍ୟ ରାତ୍ରିଭୋଜନର ଆରମ୍ଭ ‘ଷ୍ଟାଟର୍ର୍’ (ଆରମ୍ଭକ ଖାଦ୍ୟ) ସହିତ ହୋଇଥିଲା। ଅତିଥିମାନଙ୍କୁ ‘ଖଣ୍ଡଭି ମିଲ-ଫୁଇଲ’ (Khandvi Mille-feuille) ପରଷା ଯାଇଥିଲାଯେଉଁଥିରେ ସୋରିଷ ମଞ୍ଜି, ନଡ଼ିଆ ଓ କଢ଼ି ପତ୍ରର ଛୁଙ୍କ ଥିବା ବେସନ ରୋଲ ସହିତ କେଶର ମିଶ୍ରିତ ଆମ୍ବ, ମାଇକ୍ରୋଗ୍ରିନ୍ସ ଏବଂ ଦହିର ଡ୍ରେସିଂ ରହିଥିଲା। ଏହା ବ୍ୟତୀତ, ‘ଖୁମ୍ବ ଗାଲୌଟି’ (Khumb Galouti)ଅର୍ଥାତ ହାଲୁକା ଭାବେ ସେକା ଯାଇଥିବା ମଶରୁମ କବାବପୁଦିନା ମୋତି (mint pearls) ଏବଂ ‘ଶିରମାଲ’ (Sheermal) ରୁଟି ସହିତ ପରଷା ଯାଇଥିଲା।
ମୁଖ୍ୟ ଭୋଜନ (main course) ଭାରତୀୟ ରୋଷେଇ ଶୈଳୀର ସମୃଦ୍ଧ ପରମ୍ପରାକୁ ପ୍ରତିଫଳିତ କରୁଥିଲା। ଏହି ତାଲିକାରେ ପନିର ଲବାବଦାର୍; ଗୁଚ୍ଛି ମାର୍ମିକ (ହିମାଳୟର ମୋରେଲ ମଶରୁମ ଓ ଆସ୍ପାରାଗସ୍କୁ କେଶର, କିସ୍ମିସ ଏବଂ ମାମରା ବାଦାମ ସହ ପ୍ରସ୍ତୁତ ଏକ ବ୍ୟଞ୍ଜନ); ଗାଜର-ବିନ ପୋରିୟାଲ; ଥକ୍କାଲି ବେଲେ ସାରୁ (ଅରହର ଡାଲି ଓ ଟମାଟୋରେ ପ୍ରସ୍ତୁତ ଦକ୍ଷିଣ ଭାରତୀୟ ଶୈଳୀର ହାଲୁକା ସୁପ); ମିଲେଟ ପୁଲାଉ; ବିଟରୁଟ ରାୟତା ଏବଂ ବିଭିନ୍ନ ପ୍ରକାରର ଭାରତୀୟ ରୁଟି ସାମିଲ ଥିଲା। ମିଷ୍ଟାନ୍ନ ଭାବରେ, ଅତିଥିମାନଙ୍କୁ ‘ଓଲ୍ଡ ଦିଲ୍ଲୀ ଫ୍ରୁଟ କ୍ରିମ ୱିଥ ଜଲେବି’ ପରଷା ଯାଇଥିଲାଯାହା ପୁରୁଣା ଦିଲ୍ଲୀର ଲୋକପ୍ରିୟ ସ୍ବାଦ ଦ୍ୱାରା ଅନୁପ୍ରାଣିତ ହୋଇଥିଲା। ଏଥିରେ କ୍ରିସ୍ପି (ମୁରମୁରିଆ) ଜଲେବି ସହିତ ଋତୁକାଳୀନ ଫଳ ଏବଂ ହାଲୁକା ହୱିପ୍ଡ କ୍ରିମର ସମାହାର ଥିଲା। ଏହା ସହିତ ‘ମଲବେରୀ ର୍ଫିନି’ ମଧ୍ୟ ପରଷା ଯାଇଥିଲା, ଯାହା କ୍ଷୀର ଓ ଚାଉଳରେ ଧୀମା ଆଞ୍ଚରେ ପ୍ରସ୍ତୁତ ଏକ ଖିରି ସଦୃଶ ବ୍ୟଞ୍ଜନ ଥିଲା ଏବଂ ଏହାକୁ ମିଠା ମଲବେରୀ ଓ ସ୍ବର୍ଣ୍ଣ ପତ୍ର (gold leaf) ଦ୍ୱାରା ସଜ୍ଜିତ କରାଯାଇଥିଲା।

