Categories: ଜାତୀୟ

ଆଣ୍ଟିଲିୟା ମାମଲା: ପୋଲିସ ଅଧିକାରୀ ସଚ୍ଚିନ ୱାଜେଙ୍କ ଗିରଫକୁ ନେଉ ରାଜନୀତି ସରଗରମ

ମୁମ୍ବାଇ,୧୪ ।୩: ଆଣ୍ଟିଲିୟା ମାମଲାରେ ବେଳକୁ ବେଳ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ) ଦ୍ୱାରା ପୋଲିସ ଅଧିକାରୀ ସଚ୍ଚିନ ୱାଜେଙ୍କୁ ଗିରଫ କରାଯିବା ପରେ ମହାରାଷ୍ଟ୍ର ରାଜନୀତି ହୋଇଛି ସରଗରମ । ଶିବସେନା ନେତା ସଞ୍ଜୟ ରାଉତ ସଚ୍ଚିନଙ୍କ ଗିରଫକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସଞ୍ଜୟ କହିଛନ୍ତି ସଚ୍ଚିନ ଜଣେ ଭଲ ପୋଲିସ ଅଧିକାରୀ । କେନ୍ଦ୍ର ସରକାର ଏନ୍‌ଆଇଏ ସାହାରାରେ ମହାରାଷ୍ଟ୍ର ସରକାରଙ୍କୁ ଅସ୍ଥିର କରିବାକୁ ଚାହୁଁଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ମହାରାଷ୍ଟରେ ଭାରତୀୟ ଜନତା ପାର୍ଟି(ଭାଜପା) ୱାଜେଙ୍କ ନାର୍କୋଟିକ୍ ଟେଷ୍ଟ କରିବାକୁ ଦାବି କରିଛି । ସଞ୍ଜୟ କହିଛନ୍ତି ଆମେ ଏନ୍‌ଆଇଏର ସମ୍ମାନ କରୁଛୁ । ହେଲେ ଆମ ପୋଲିସ ବି ଏକାମ କରିପାରି ଥାଆନ୍ତେ । ମୁମ୍ବାଇ ପୋଲିସ ଓ ଏଟିଏସ୍ ସମ୍ମାନନୀୟ କିନ୍ତୁ ଏନ୍‌ଆଇଏ ଲଗାତାର ମୁମ୍ବାଇ ଆସି ପୋଲିସର ମନୋବଳ ଭାଙ୍ଗି ଦେଉଛି । ଏହାଦ୍ୱାରା ରାଜ୍ୟରେ ଅସ୍ଥିରତା ଦେଖାଯାଉଛି ଓ ମୁମ୍ବାଇ ପୋଲିସ ପ୍ରଶାସନ ଚାପରେ ରହୁଛି । ଅନ୍ୟପଟେ ଶିବସେନାର ମୁଖପତ୍ର ସାମ୍ନାରେ ସଞ୍ଜୟ ଲେଖିଛନ୍ତି, ରାଜ୍ୟ ପୋଲିସର ଯାଞ୍ଚକୁ ନେଇ ବିରୋଧି ଅଭିଯୋଗ କରୁଛି । ଯାହା ଫଳରେ ପୋଲିସର ମନୋବଳ ଭାଙ୍ଗି ଯାଉଛି । ଏହା ରାଜ୍ୟ ବ୍ୟବସ୍ଥା ଉପରେ ଚାପ ସଦୃଶ । ତେଣୁ ଏପରି ହେବା ସରକାରଙ୍କ ପାଇଁ ଶୁଭ ସଙ୍କେତ ନୁହେଁ । ସମସ୍ତଙ୍କୁ ପାଣିରେ ରହିବାର ଅଛି କୁମ୍ଭିର ସହ ଶତ୍ରୁତା କାହିଁକି । ଯହି ଏମିତି ସମସ୍ତଙ୍କୁ ଲାଗିବ ତେବେ ରାଜ୍ୟ ଦୂଷିତ ହୋଇଯିବ ବୋଲି ସେ କହିଛନ୍ତି ।

Share