Categories: ଜାତୀୟ

ନିର୍ବାଚନୀ ପ୍ରତିଶ୍ରୁତି ପୂରଣରେ ବିଫଳତା ପାଇଁ ଦାୟୀ ନୁହନ୍ତି ରାଜନୈତିକ ଦଳ, ହାଇକୋର୍ଟଙ୍କ ରାୟ…

ଆହ୍ଲାବାଦ, ୧୯।୩ : ଆହ୍ଲାବାଦ ହାଇକୋର୍ଟ ରାୟ ଦେଇଛନ୍ତି ଯେ ନିର୍ବାଚନ ଘୋଷଣାପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହେବା ପାଇଁ ରାଜନୈତିକ ଦଳଗୁଡ଼ିକୁ ଦାୟୀ କରାଯାଇ ପାରିବ ନାହିଁ। ଏକ୍ଷେତ୍ରରେ ଆଇନ ଅନୁଯାୟୀ କୌଣସି ଦଣ୍ଡବିଧାନର ବ୍ୟବସ୍ଥା ନାହିଁ।

ଜଷ୍ଟିସ ଦୀନେଶ ପାଠକଙ୍କ ନେତୃତ୍ୱରେ ଗଠିତ ଏକ ଡିଭିଜନ ବେଞ୍ଚ ସ୍ପଷ୍ଟ କରିଛି ଯେ ନିର୍ବାଚନରେ ପ୍ରଦାନ କରାଯାଇଥିବା ପ୍ରତିଶ୍ରୁତି ପାଳନରେ ବିଫଳତା ଲାଗି ଲୋକ ପ୍ରତିନିଧୀ ଅଧିନିୟମ ୧୯୫୧ ଅନୁଯାୟୀ କୌଣସି ରାଜନୈତିକ ଦଳକୁ ଦାୟୀ କରାଯାଇପାରିବ ନାହିଁ। ଖୁର୍ସିଦୁର ରହମାନ ଏସ୍‌. ରହମାନଙ୍କ ପକ୍ଷରୁ ସିଆରପିସି ଧାରା ୧୫୬ (୩) ଅନୁଯାୟୀ ଏକ ଆବେଦନ ଦାଖଲ କରାଯାଇଥିଲା।

ଏଥିରେ ଅଭିଯୋଗ ହୋଇଥିଲା ଯେ ୨୦୧୪ ନିର୍ବାଚନ ସମୟରେ ଭାଜପାର ତତ୍‌କାଳୀନ ଅଧ୍ୟକ୍ଷ ଅମିତ ଶାହାଙ୍କ ଭୋଟରଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଘୋଷଣା ପତ୍ରରେ ଦର୍ଶାଯାଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ଦଳ ବିଫଳ ହୋଇଥିଲା। ଅଭିଯୋଗ ହୋଇଛି ଯେ ଶାହା ଠକେଇ, ବିଶ୍ୱାସଘାତକତା, ଅସାଧୁତା, ମାନହାନୀ, ବଦନାମ ତଥା ମିଥ୍ୟା ପ୍ରଲୋଭନ ଭଳି ଅପରାଧ କରିଛନ୍ତି।

ଅବଶ୍ୟ, ଅକ୍ଟୋବର ୨୦୨୦ରେ ଟ୍ରାଏଲ କୋର୍ଟରେ ଆଲିଗଡ଼ ଅତିରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଏହି ଆବେଦନକୁ ଖାରଜ କରିଥିଲେ। ନିମ୍ନ ଅଦାଲତ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ବରିଷ୍ଠ ଆଇନଜୀବୀ ମନୀଷ ଗୋଏଲ (ଅତିରିକ୍ତ ଆଡଭୋକେଟ ଜେନେରାଲ) ଆଡଭୋକେଟ ଏ.କେ ସାଣ୍ଡଙ୍କ ମାଧ୍ୟମରେ ଯୁକ୍ତି ଦର୍ଶାଇଥିଲେ ଯେ ଆବେଦନ ଆଧାରରେ ଟ୍ରାଏଲ କୋର୍ଟ ଦ୍ୱାରା ବିଚାର ପାଇଁ ଶାହାଙ୍କ ବିରୋଧରେ କୌଣସି ଅପରାଧ ଦର୍ଶାଯାଇନାହିଁ। ଏହାସହ ଯୁକ୍ତି କରାଯାଇଥିଲା ଯେ ନିର୍ବାଚନ ଘୋଷଣା ପତ୍ରରେ ଦିଆଯାଇଥିବା ସର୍ତ୍ତଗୁଡିକ ପୂରଣ ନହେବା କୌଣସି ଆଇନର ଅଧୀନରେ ଆସେ ନାହିଁ। ତେଣୁ ଏହାକୁ କୌଣସି ନିୟମ ଅନୁଯାୟୀ କାର୍ଯ୍ୟକାରୀ କରାଯାଇପାରିବ ନାହିଁ। କୋର୍ଟ କହିଛନ୍ତି ଯେ ଘୋଷଣା ପତ୍ର-୨୦୧୪ରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନହେବା ଆଇନ ଦୃଷ୍ଟିରେ ଅପରାଧ ନୁହେଁ।

 

Share