୭୫ ଟଙ୍କାର ବ୍ୟାଙ୍କ ବାଲାନ୍ସରୁ ଏନ୍‌ଡିଏର ସମ୍ଭାବ୍ୟ ଶକ୍ତି, ଚର୍ଚ୍ଚାରେ ଆଞ୍ଚଳିକ ଦଳ ‘ଏନ୍‌ସିପିଆଇ’ର ରାଜନୈତିକ ଯାତ୍ରା

ନୂଆଦିଲ୍ଲୀ,୧୫ା୬(ପି.ଟି.): ଆର୍ଥିକବର୍ଷ ୨୦୨୨-୨୩ ଶେଷ ସୁଦ୍ଧା ଯେଉଁ ରାଜନୈତିକ ଦଳର ବ୍ୟାଙ୍କ ଖାତାରେ ମାତ୍ର ୭୫ ଟଙ୍କା ବାକି ରହିଥିଲା, ଆଜି ସେହି ଅଜ୍ଞାତ ଦଳଟି ଜାତୀୟ ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଛି। ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ୨୦ ଜଣ ବିଦ୍ରୋହୀ ଲୋକ ସଭା ଏମ୍‌ପି ରବିବାର ଏହି ଦଳ ସହ ନିଜର ମିଶ୍ରଣ ସମ୍ପର୍କରେ ଘୋଷଣା କରିବା ପରେ ସେହି ସ୍ବଳ୍ପ ପରିଚିତ ‘ନ୍ୟାଶନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍‌ ଇଣ୍ଡିଆ’ (ଏନ୍‌ସିପିଆଇ)କୁ ନେଇ ଏବେ ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି।
ଭାରତୀୟ ନିର୍ବାଚନ କମିଶନ (ଇସିଆଇ)କୁ ଏନ୍‌ସିପିଆଇ ପକ୍ଷରୁ ଦାଖଲ କରାଯାଇଥିବା ବାର୍ଷିକ ଅଡିଟ ରିପୋର୍ଟରୁ ଦଳର ଆର୍ଥିକ ସ୍ଥିତି ସାମ୍ନାକୁ ଆସିଛି। ସେପଟେ ରବିବାର ତୃଣମୂଳ କଂଗ୍ରେସରେ ସୃଷ୍ଟି ହୋଇଥିବା ମହାସଙ୍କଟ ଆହୁରି ଘନୀଭୂତ ହୋଇଛି। ଟିଏମ୍‌ସିର ବିଦ୍ରୋହୀ ଏମ୍‌ପିମାନେ ଏନ୍‌ସିପିଆଇ ସହ ମିଶ୍ରଣ ଘୋଷଣା କରିବା ସହିତ ସଂସଦରେ ସ୍ବତନ୍ତ୍ର ଆସନ ବ୍ୟବସ୍ଥା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ସାକ୍ଷାତ୍‌ କରିଛନ୍ତି। ବାଚସ୍ପତିଙ୍କୁ ସାକ୍ଷାତ କରିବା ପରେ ବିଦ୍ରୋହୀ ଏମ୍‌ପି କାକୋଲି ଘୋଷ ଦସ୍ତିଦାର ଗଣମାଧ୍ୟମକୁ କହିଛନ୍ତି, ‘ଟିଏମ୍‌ସିର ଦୁଇ-ତୃତୀୟାଂଶ (୨୦ ଜଣ) ଏମ୍‌ପି ପୃଥକ୍‌ ଆସନ ବ୍ୟବସ୍ଥା ପାଇଁ ବାଚସ୍ପତିଙ୍କୁ ପତ୍ର ଦେଇଛନ୍ତି। ଆମେ ନ୍ୟାଶନାଲିଷ୍ଟ ସିଟିଜେନ୍ସ ପାର୍ଟି ସହ ମିଶ୍ରଣ କରି ଶାସକ ଏନ୍‌ଡିଏକୁ ସମର୍ଥନ କରିବୁ।’
ନିର୍ବାଚନ କମିଶନଙ୍କ ରେକର୍ଡ ଅନୁଯାୟୀ, ଜାନୁଆରୀ ୨୦୨୩ରେ ଏନ୍‌ସିପିଆଇ ପଞ୍ଜୀକୃତ ହୋଇଥିଲା ଏବଂ ପଶ୍ଚିମବଙ୍ଗର ହାଓଡା ଜିଲାର ସାଙ୍କରାଇଲ୍‌ରେ ଏହାର କାର୍ଯ୍ୟାଳୟ ରହିଛି। ଆର୍ଥିକବର୍ଷ ୨୦୨୨-୨୩ରେ ଦଳ ଶୁଭେଚ୍ଛୁଙ୍କଠାରୁ ମାତ୍ର ୧,୧୩,୦୭୫ ଟଙ୍କା ପାଣ୍ଠି ପାଇଥିବାବେଳେ ୨୦୨୩ ତ୍ରିପୁରା ବିଧାନସଭା ନିର୍ବାଚନରେ ୪୯,୪୦୦ ଟଙ୍କା ସମେତ ମୋଟ ୧.୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। ଦଳର ପ୍ରତିଷ୍ଠାତା ସଭାପତି ଶିଉଲି କୁଣ୍ଡୁ ଓ ଉପସଭାପତି ଉତ୍ତୀୟ କୁଣ୍ଡୁ (ସ୍ବାମୀ-ସ୍ତ୍ରୀ) ନିଜେ ଯଥାକ୍ରମେ ୧୫,୦୦୦ ଓ ୧୮,୦୦୦ ଟଙ୍କା ଚାନ୍ଦା ଦେଇଥିଲେ। ତ୍ରିପୁରା ନିର୍ବାଚନରେ ‘ଦଳ ବଦଳକାରୀଙ୍କୁ ପ୍ରତ୍ୟାଖ୍ୟାନ କର’ ନାରା ଦେଇ ଏନ୍‌ସିପିଆଇ ୪ ଜଣ ପ୍ରାର୍ଥୀଙ୍କୁ ଛିଡ଼ା କରିଥିଲା, ଯେଉଁମାନଙ୍କ ମଧ୍ୟରୁ ୩ ଜଣ ପ୍ରାର୍ଥୀ ମିଶି ମାତ୍ର ୮୨୨ ଭୋଟ ପାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ବର୍ଜେଦା ତ୍ରିପୁରା (୫୩୬ ଭୋଟ ପାଇଥିବା) ଦିନମଜୁରିଆ ଭାବେ କାମ କରନ୍ତି ଏବଂ ଦଳର ଏହି ସଦ୍ୟତମ ଜାତୀୟ ମିଶ୍ରଣ ବାବଦରେ ସେ ସମ୍ପୂର୍ଣ୍ଣ ଅଜ୍ଞ ବୋଲି ପ୍ରକାଶ କରିଛନ୍ତି।
ଯଦି ବାଚସ୍ପତି ଓମ୍‌ ବିର୍ଲା ଏହି ମିଶ୍ରଣକୁ ଆଇନଗତ ସ୍ବୀକୃତି ଦିଅନ୍ତି, ତେବେ କେହି କାଉନ୍‌ସିଲର କିମ୍ବା ବିଧାୟକ ନ ଥିବା ଏହି ଅଜ୍ଞାତ ଦଳଟି ସିଧାସଳଖ ୨୦ଜଣ ଏମ୍‌ପିଙ୍କ ସହ ଲୋକ ସଭାର ଷଷ୍ଠ ବୃହତ୍ତମ ଦଳ ପାଲଟିଯିବ। କେବଳ ସେତିକି ନୁହେଁ, ଶାସକ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟରେ ଟିଡିପି(୧୬) ଏବଂ ଜେଡିୟୁ (୧୨)କୁ ପଛରେ ପକାଇ ଏହା ଦ୍ୱିତୀୟ ବୃହତ୍ତମ ଦଳର ମାନ୍ୟତା ହାସଲ କରିବ। ଏହି ଦଳର ନେତୃତ୍ୱ ମଧ୍ୟ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରତିଷ୍ଠାତା ସଭାପତି ଶିଉଲି କୁଣ୍ଡୁ କଲିକତା ହାଇକୋର୍ଟର ଜଣେ ଆଇନଜୀବୀ ହୋଇଥିବା ବେଳେ ତାଙ୍କ ପାଖରେ ଗଣିତରେ ଏମ୍‌ଏସ୍‌ସି, ଏମ୍‌ବିଏ ଏବଂ ଏଲ୍‌ଏଲ୍‌ଏମ୍‌ ଡିଗ୍ରୀ ରହିଛି। ସେ ସୋମବାର ସଭାପତି ପଦରୁ ଇସ୍ତଫା ଦେଇଥିବା କହିଛନ୍ତି। ସେହିପରି ତାଙ୍କ ସ୍ବାମୀ ଉତ୍ତୀୟ କୁଣ୍ଡୁ ଜଣେ ଗଣିତ ଶିକ୍ଷକ, ବଙ୍ଗାଲୀ ଖବରକାଗଜ ସମ୍ପାଦକ, ମୋଟିଭେଶନାଲ ସ୍ପିକର, ଆଇଏସ୍‌ଓ ଅଡିଟର ଏବଂ ଯୋଗ ପ୍ରଶିକ୍ଷକ ବୋଲି ନିଜର ପରିଚୟ ଦେଇଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନରେ ଭାଜପାର ବିଜୟ ପରେ ସେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ନିଜର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।
ଅପରପକ୍ଷରେ, ଦଳର ଜାତୀୟ ସଂଗଠନ ସାଧାରଣ ସମ୍ପାଦକ ଶାନ୍ତନୁ ଦେ କହିଛନ୍ତି, ଟିଏମ୍‌ସି ଏମ୍‌ପିମାନଙ୍କ ଏହି ହଠାତ୍‌ ନିଷ୍ପତ୍ତି ସମ୍ପର୍କରେ ସେ ପୂର୍ବରୁ ଜାଣି ନ ଥିଲେ, ମାତ୍ର ଦଳର ସମ୍ପ୍ରସାରଣକୁ ସେ ସ୍ବାଗତ କରୁଛନ୍ତି। ବର୍ତ୍ତମାନ ଏହି ସମଗ୍ର ପ୍ରସଙ୍ଗରେ ବାଚସ୍ପତିଙ୍କ ନିଷ୍ପତ୍ତି ଏବଂ ଦଳବଦଳ ନିରୋଧୀ ଆଇନର ଆଇନଗତ ଦିଗ ଉପରେ ସମସ୍ତଙ୍କ ନଜର ରହିଛି।

 

Dharitri – Odisha’s No.1 Odia Daily