ମ୍ୟାନମାର୍‌ରେ ରାଜନୈତିକ ସଙ୍କଟ: ସ୍ୟୁ ଚୀଙ୍କ ଦଳକୁ ଭଙ୍ଗ କଲା ଜୁଣ୍ଟା…

ନାପିଦ୍ୱ,୨୯।୩ : ମ୍ୟାନମାରରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ପୂର୍ବତନ ନେତ୍ରୀ ଅଙ୍ଗ ସାନ ସ୍ୟୁ-ଚୀଙ୍କ ଦଳ ନ୍ୟାଶନାଲ ଲିଗ ଫର ଡେମୋକ୍ରାସି (ଏନଏଲଡି) ସମେତ ଚାଳିଶ ରାଜନୈତିକ ଦଳକୁ ଭଙ୍ଗ କରାଯାଇଛି। ସାମରିକ ଶାସକଙ୍କ ନିୟନ୍ତ୍ରଣରେ ଥିବା ଜୁଣ୍ଟା ଏହି ପଦକ୍ଷେପ ଗ୍ରହଣ କରିଛି।

ରାଜନୈତିକ ପ୍ରାଧାନ୍ୟ ବଜାୟ ରଖିବା ପାଇଁ ସାଧାରଣ ନିର୍ବାଚନ ଲାଗି ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଏହି ଦଳଗୁଡିକ ପଞ୍ଜୀକରଣ କରି ନ ଥିବା ଅଭିଯୋଗ ହୋଇଛି। ଏହାପୂର୍ବରୁ ଜାନୁଆରୀ ମାସରେ ଦେଶର ସାମରିକ ଶାସକ ଆଗାମୀ ନିର୍ବାଚନ ପାଇଁ ନୂତନ ନିର୍ବାଚନ ଆଇନ ଅନୁଯାୟୀ ପଞ୍ଜୀକରଣ କରିବାକୁ ଦୁଇ ମାସ ସମୟ ଦେଇଥିଲେ। ତେବେ ସାମରିକ ନିୟମକୁ ବିରୋଧ କରୁଥିବା ଲୋକମାନେ କହିଥିଲେ ଯେ ନିର୍ବାଚନ ନିରପେକ୍ଷ ହେବାର ଆଶଙ୍କା କମ୍‌।

ଏଥିସହ ସହ ସ୍ୟୁ-ଚୀଙ୍କ ଦଳ ଏନଏଲଡି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ଘୋଷଣା କରିଛି। ଦଳ ନିର୍ବାଚନକୁ ବେଆଇନ ଘୋଷଣା କରିଛି। ଦଳର ନେତା କହିଛନ୍ତି, ଯେତେବେଳେ ଅନେକ ରାଜନୈତିକ ନେତା ଏବଂ ରାଜନୈତିକ କର୍ମୀଙ୍କୁ ଗିରଫ କରାଯାଇଛି ଆମେ ଏହି ନିର୍ବାଚନକୁ ଆଦୌ ଗ୍ରହଣ କରୁନାହୁଁ। ଜନସାଧାରଣଙ୍କୁ ସେନା ଦ୍ୱାରା ହଇରାଣ କରାଯାଉଛି।

 

Share