ଇସ୍ରାଏଲରେ ରାଜନୈତିକ ସଙ୍କଟ

ଜେରୁଜେଲମ, ୨୩।୬: ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ନାଫଟାଲି ବେନେଟଙ୍କ ସରକାର ସଂଖ୍ୟାଲଘୁ ହେବା ପରେ ସେଠାରେ ପୁଣି ରାଜନୈତିକ ସଙ୍କଟ ଦେଖାଦେଇଛି। ବେନେଟଙ୍କ ମେଣ୍ଟ ସରକାର ଭାଙ୍ଗିବା ନିମନ୍ତେ ବୁଧବାର ଇସ୍ରାଏଲ ପାର୍ଲାମେଣ୍ଟ ନିସେଟ୍‌ରେ ଏକ ବିଲ୍‌ ପାରିତ ହୋଇଛି। ସଂସଦ ଭଙ୍ଗ ସପକ୍ଷରେ ନିସେଟ୍‌ର ୧୨୦ ସଦସ୍ୟଙ୍କ ମଧ୍ୟରୁ ୧୧୦ ଜଣ ଭୋଟ ଦେଇଛନ୍ତି।

ଅନ୍ତିମ ପର୍ଯ୍ୟାୟ ଭୋଟ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବ। ପାର୍ଲାମେଣ୍ଟରେ ପାସ୍‌ ହେବା ପରେ ଖୁବ୍‌ଶୀଘ୍ର ସେଠାରେ ନିର୍ବାଚନ ହେବ। ନେଫଟାଲି ସରକାର ଭାଙ୍ଗିବା ପରେ ମାତ୍ର ୩ ବର୍ଷରେ ଇସ୍ରାଏଲରେ ୫ମ ନିର୍ବାଚନ ହେବାକୁ ଯାଉଛି। ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ ନ ହେବା ପର୍ଯ୍ୟନ୍ତ ଇସ୍ରାଏଲ ବହିର୍ବ୍ୟାପାର ମନ୍ତ୍ରୀ ୟେର ଲ୍ୟାପିଡ୍‌ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇବେ। ଆସନ୍ତା ଅକ୍ଟୋବରରେ ଇସ୍ରାଏଲରେ ନିର୍ବାଚନ ହୋଇପାରେ।

୮ ଦଳକୁ ନେଇ ଗଠିତ ଐତିହାସିକ ମେଣ୍ଟ ଦ୍ୱାରା ନାଫଟାଲି ପୂର୍ବତନ ରାଷ୍ଟ୍ରପତି ବେଞ୍ଜାମିନ୍‌ ନେତ୍ୟାନାହୁଙ୍କୁ ପଦରୁ ହଟାଇ ୨୦୨୧ ଜୁନ୍‌ରେ ସରକାର ଗଢ଼ିଥିଲେ। ଓ୍ବେଷ୍ଟ ବ୍ୟାଙ୍କ ବିବାଦ, ପାଲେଷ୍ଟାଇନ ପ୍ରସଙ୍ଗରେ ସରକାରଙ୍କ ନୀତିକୁ ବିରୋଧ କରି ୟାମିନା ପାର୍ଟି ଗତ ଏପ୍ରିଲରେ ମେଣ୍ଟରୁ ଓହରି ଯାଇଥିଲା। ଫଳରେ ନାଫଟାଲିଙ୍କ ସରକାର ସଂଖ୍ୟାଲଘୁ ପାଲଟିଥିଲା। ପ୍ରଧାନମନ୍ତ୍ରୀ ହେବାର ବର୍ଷକ ପରେ ନାଫଟାଲି ପାର୍ଲାମେଣ୍ଟ ଭାଙ୍ଗି ପୁନଃ ନିର୍ବାଚନ ନିମନ୍ତେ ଘୋଷଣା କରିଥିଲେ।

Share