Categories: ଜାତୀୟ

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା, ଓଏସ୍‌ଡିଙ୍କୁ ଇଡି ଜେରା

ରାୟପୁର,୨୯ା୮: ବେଆଇନ ବେଟିଂ ଓ ଗାମ୍ବ୍‌ଲିଂ ଆପ୍‌ ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ରାଜନୈତିକ ପରାମର୍ଶଦାତା ବିନୋଦ ବର୍ମା ଏବଂ ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି (ଓଏସ୍‌ଡି) ମନୀଷ ବନ୍‌ଛୋରଙ୍କୁ ଜେରା କରିଛି। ମନିଲଣ୍ଡରିଂ ପ୍ରତିକାର ଆଇନ (ପିଏମ୍‌ଏଲ୍‌ଏ)ର ବ୍ୟବସ୍ଥା ଅନୁଯାୟୀ ସେମାନଙ୍କ ବୟାନକୁ ରେକର୍ଡ କରାଯାଇଛି। ଗତ ସପ୍ତାହରେ ଇଡି ଉଭୟଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ କରିବା ସହ ସେମାନଙ୍କୁ ତଦନ୍ତରେ ସାମିଲ ହେବା ଲାଗି କହିଥିଲା। ‘ମହାଦେବ ଅନ୍‌ଲାଇନ ବୁକ୍‌’ ନାମରେ ଏହି ବେଆଇନ ବେଟିଂ ଆପ୍‌ ସହ ସମ୍ପୃକ୍ତି ନେଇ ପୋଲିସ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର ଚନ୍ଦ୍ରଭୂଷଣ ବର୍ମା, ହାଓ୍ବଲା ଅପରେଟର ଭ୍ରାତା ଅନିଲ ଓ ସୁନୀଲ ଡମନି ଏବଂ ସତୀଶ ଚନ୍ଦ୍ରାକରଙ୍କୁ ଇଡି ଗିରଫ କରିଛି। ଏଏସ୍‌ଆଇଙ୍କର ବର୍ମାଙ୍କ ସହ ସମ୍ପର୍କ ଥିଲା। ଛତିଶଗଡ଼ ସିଏମ୍‌ଓ କାର୍ଯ୍ୟାଳୟ ସହ ସମ୍ପୃକ୍ତ ଉଚ୍ଚ ପାହ୍ୟାର ଅଫିସର ଏବଂ ରାଜନେତାଙ୍କୁ ପ୍ରଭାବିତ କରିବା ଲାଗି ସେ ଦୁବାଇରୁ ହାଓ୍ବଲା ପାଣ୍ଠି ଗ୍ରହଣ କରୁଥିଲେ ବୋଲି ଇଡି କହିଛିି। ଅନ୍ୟପକ୍ଷରେ ଇଡି କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ବଘେଲ କହିଛନ୍ତି, ତାଙ୍କ ସରକାରଙ୍କୁ ବଦନାମ କରିବା ଓ ସ୍ବର ଚାପିଦେବା ଲାଗି ଏଭଳି ଦୁର୍ଭାବନାପୂର୍ଣ୍ଣ ଉଦ୍ୟମ କରାଯାଉଛି। ବେଆଇନ ଅର୍ଥ କାରବାରରୁ ସେ ଟଙ୍କାଟିଏ ମଧ୍ୟ ପାଇ ନ ଥିବା ବିନୋଦ ବର୍ମା ଗତ ୨୪ ତାରିଖରେ ଏକ ଖବରଦାତା ସମ୍ମିଳନୀକୁ କହିଥିଲେ।

Share