Posted inଜାତୀୟ

ଏକ ଦେଶ ଏକ ନିର୍ବାଚନ

ଭାରତରେ ‘ଓ୍ବାନ୍‌ ନେଶନ ଓ୍ବାନ୍‌ ଇଲେକ୍‌ଶନ’ ବା ‘ଏକ ଦେଶ ଏକ ନିର୍ବାଚନ’ ପ୍ରସଙ୍ଗକୁ ନେଇ ଚାରିଆଡ଼େ ଗରମାଗରମ ଆଲୋଚନା ହେଉଛି। ୧୮ ସେପ୍ଟେମ୍ବର ୨୦୨୪ରେ କେନ୍ଦ୍ର କ୍ୟାବିନେଟ ଏହାକୁ ଅନୁମୋଦନ କରିବା ପରେ ଏହାର ସପକ୍ଷବାଦୀ ଓ ବିପକ୍ଷବାଦୀ ନିଜର ମତ ଉପସ୍ଥାପନ କରିଚାଲିଛନ୍ତି। ପ୍ରଥମରେ ଲୋକ ସଭା ସହ ସବୁ ରାଜ୍ୟ ବିଧାନସଭାର ନିର୍ବାଚନ କରାଇବା ପାଇଁ ପ୍ରସ୍ତାବ ରହିଛି। ଏହାର ୧୦୦ ଦିନ ଭିତରେ ଅନ୍ୟସବୁ ସଂସ୍ଥା ଯେଉଁଥିରେ ସାଧାରଣ ଭୋଟର ମତଦାନ କରିଥାଆନ୍ତି ଯଥା ପଞ୍ଚାୟତ ଓ ମ୍ୟୁନିସିପାଲିଟି ଇତ୍ୟାଦିରେ ନିର୍ବାଚନ କରାଇବା ଲାଗି ବ୍ୟବସ୍ଥା କରାଯାଇଛି। ହେଲେ ଏଥିରେ ରାଜ୍ୟ ସଭା କିମ୍ବା ବିଧାନ ପରିଷଦ ନିର୍ବାଚନ ସଂକ୍ରାନ୍ତରେ କୌଣସି ସ୍ପଷ୍ଟ ମତ ପ୍ରକାଶ ପାଇନାହିଁ।

ଦେଶରେ ଏକକାଳୀନ ନିର୍ବାଚନ ସମ୍ପର୍କରେ ସରକାରଙ୍କ ପ୍ରଥମ ଯୁକ୍ତି ହେଲା ଏହାଦ୍ୱାରା ବିବିଧ ନିର୍ବାଚନ ପାଇଁ ହେଉଥିବା ବିପୁଳ ଖର୍ଚ୍ଚକୁ ରୋକାଯାଇପାରିବ। ଦ୍ୱିତୀୟରେ ବାରମ୍ବାର ନିର୍ବାଚନ ହେଉଥିବାରୁ ସରକାରରେ ଥିବା ରାଜନେତାମାନେ ଲମ୍ବା ସମୟ ପର୍ଯ୍ୟନ୍ତ ପ୍ରଚାରରେ ମାତୁଛନ୍ତି; ଯଦ୍ଦ୍ବାରା ଶାସନ ନୀତି ଓ ବୈଧାନିକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏକାଥରେ ନିର୍ବାଚନ ହୋଇଗଲେ ବାରମ୍ବାର ମତଦେବାକୁ ଯାଇ କ୍ଳାନ୍ତି ଅନୁଭବ କରୁଥିବା ଭୋଟର ମଧ୍ୟ ଆଶ୍ୱସ୍ତ ହେବେ। ଏଥିସହିତ ‘ଚାଲ ଭୋଟ ଦେଇଦେବା’ ଭଳି ଉତ୍ସାହ ସେମାନଙ୍କଠାରେ ଜନ୍ମିପାରେ। ଫଳରେ ନିର୍ବାଚନରେ ଭୋଟରଙ୍କ ଅଂଶଗ୍ରହଣ ବୃଦ୍ଧି ପାଇପାରେ ବୋଲି ସପକ୍ଷବାଦୀ କହୁଛନ୍ତି। ଅନ୍ୟପକ୍ଷରେ ବିପକ୍ଷବାଦୀଙ୍କ ଯୁକ୍ତି ହେଲା ଏଭଳି ପଦକ୍ଷେପ ସଂଘୀୟ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିବ। ଲୋକ ସଭା ଓ ବିଧାନସଭା ନିର୍ବାଚନରେ ବିଶେଷକରି ଜାତୀୟ ଓ ଆଞ୍ଚଳିକ ପ୍ରସଙ୍ଗ ଗୁରୁତ୍ୱ ପାଇଥାଏ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧୯୬୭ ପରଠାରୁ ବିଭିନ୍ନ ସମୟରେ ବିଧାନସଭା ଭଙ୍ଗ ହେଉଥିବାରୁ ସାଧାରଣ ନିର୍ବାଚନ ବୋଲି କୌଣସି ନିର୍ବାଚନ ରହି ନାହିଁ। ସ୍ବାଧୀନତା ପରେ ସାଧାରଣ ନିର୍ବାଚନର ଅର୍ଥ ଏକସଙ୍ଗେ ଲୋକ ସଭା ଓ ସବୁ ବିଧାନସଭା ନିର୍ବାଚନକୁ ବୁଝାଉଥିଲା। ତାହା କ୍ରମଶଃ ରାଜନୈତିକ ଅସ୍ଥିରତା ଯୋଗୁ ଭାଙ୍ଗି ଚାଲିଲା। ଏପରିକି କେନ୍ଦ୍ର ସରକାର ସମ୍ବିଧାନର ଅନୁଚ୍ଛେଦ ୩୫୬ ଲାଗୁ କରି ରାଜ୍ୟ ବିଧାନସଭାକୁ ଭାଙ୍ଗିବା ଯୋଗୁ ଗଣତାନ୍ତ୍ରିକ ଉପାୟରେ ଗଢ଼ି ଉଠିଥିବା ସରକାରର ବିଲୟ ଘଟିଛି। ସେଥିପାଇଁ ସଦ୍ୟ ନିର୍ବାଚନର ଆବଶ୍ୟକତା ପଡ଼ିଥିଲା। ସେହିପରି ଶାସକ ଦଳ ଭିତରେ ଫାଟ ସୃଷ୍ଟି ହେଉଥିବା ବେଳେ କିଛି ବିଧାୟକ ଅନ୍ୟ ଦଳକୁ ଡେଇଁ ପଡ଼ିବା ଯୋଗୁ ସରକାର ଅସ୍ଥିର ହୋଇଯାଇଥାଏ। ଏଭଳି ଅସ୍ବାଭାବିକତାକୁ ରୋକିବା ଲାଗି ଆଣ୍ଟି ଡିଫେକ୍ସନ ଆଇନ ଥିଲେ ମଧ୍ୟ ବାଚସ୍ପତିଙ୍କ ନିଷ୍ପତ୍ତି ନିର୍ଣ୍ଣାୟକ ହୋଇଥାଏ। ଯେହେତୁ ସାଧାରଣରେ ବାଚସ୍ପତି ଶାସକ ଦଳର ହୋଇଥାଆନ୍ତି, ସେଥିପାଇଁ ଅଧିକାଂଶ ସମୟରେ ତାଙ୍କ ନିଷ୍ପତ୍ତି ଶାସକ ଗୋଷ୍ଠୀ ସପକ୍ଷରେ ଯାଇଥାଏ। ପୁଣି ଏକକାଳୀନ ନିର୍ବାଚନ କଥା କୁହାଯାଇ ଖର୍ଚ୍ଚ କମିବ ବୋଲି ଯାହା ଦର୍ଶାଯାଉଛି ତାହା ମଧ୍ୟ ଯୁକ୍ତିଯୁକ୍ତ ନୁହେଁ। କୌଣସି ବିଧାନସଭାର ଆୟୁଷ ୫ ବର୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ତାହାର ଅବଧି ଶେଷର ବହୁପୂର୍ବରୁ ଭାଙ୍ଗିଗଲେ ସଦ୍ୟ ନିର୍ବାଚନ କରିବାକୁ ପଡ଼ିଥାଏ। ଏଭଳି ସ୍ଥଳେ ଲୋକ ସଭା ନିର୍ବାଚନ ସହ ସବୁ ବିଧାନସଭାକୁ ନେଇ ଯିବା ଅତ୍ୟନ୍ତ କଷ୍ଟକର ବ୍ୟାପାର।

ରାମନାଥ କୋବିନ୍ଦ କମିଟିର ସୁପାରିସ ଅନୁଯାୟୀ, ଯଦି କୌଣସି ଲୋକ ସଭା କିମ୍ବା ବିଧାନସଭା ୫ ବର୍ଷ ପୂର୍ଣ୍ଣ କାର୍ଯ୍ୟକାଳ ଶେଷ ପୂର୍ବରୁ ଭାଙ୍ଗିଯାଏ, ତାହା ହେଲେ ବାକି ଥିବା ସମୟ ପାଇଁ ନିର୍ବାଚନ ହେବ। ତେବେ ବିଧାନସଭାର ଅବଧି ପରବର୍ତ୍ତୀ ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ରହିବ। ଉଦାହରଣ ସ୍ବରୂପ ୨୦୨୫ ବେଳକୁ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଯେଉଁ ପାର୍ଟି ସରକାର ଗଢ଼ିବ ତାହାର କାର୍ଯ୍ୟକାଳ ୨୦୨୯ ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ଅର୍ଥାତ୍‌ ମାତ୍ର ୪ ବର୍ଷ ପାଇଁ ରହିବ। ସେହିପରି ୨୦୨୭ରେ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଅବଧି ରହିବ ମାତ୍ର ଦୁଇବର୍ଷ। ଅନୁରୂପ ଭାବେ ୨୦୨୮ରେ କର୍ନାଟକ ବିଧାନସଭା ନିର୍ବାଚନରେ ଯେଉଁ ଦଳ ଜିତି ସରକାର ଗଢ଼ିଲେ ମଧ୍ୟ ତାହାର ଅବଧି କେବଳ ୧୨ ମାସ ପାଇଁ ରହିବ। ଏଠାରେ ମନେରଖିବାକୁ ହେବ ଯେ, ଏହି ସମସ୍ୟା କେବଳ ୨୦୨୯ ଲୋକ ସଭା ନିର୍ବାଚନ ସହିତ ଶେଷ ହେଉନାହିଁ। ପରବର୍ତ୍ତୀ ସମୟରେ ଏହି ପ୍ରକାର ସମସ୍ୟା ଲାଗି ରହିବ।

କେନ୍ଦ୍ର ସରକାର କ୍ୟାବିନେଟରେ ଏକକାଳୀନ ନିର୍ବାଚନକୁ ଅନୁମୋଦନ କରି ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେବା ନେଇ ଅନେକ ଆହ୍ବାନ ରହିଛି। ପ୍ରଥମେ ଉଭୟ ସଂସଦ ଓ ବିଧାନସଭାଗୁଡ଼ିକର ସହମତିରେ ସମ୍ବିଧାନ ସଂଶୋଧନ ଆଣିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅଭିଭାଷଣ ବେଳେ ଏକକାଳୀନ ନିର୍ବାଚନ ପ୍ରତିଶ୍ରୁତି ପାଳନ କରାଯିବ ବୋଲି କହିଥିଲେ। ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରର ଅଧିକ ଆସନ ଥିଲେ ମଧ୍ୟ ସମ୍ବିଧାନ ସଂଶୋଧନ ଲାଗି ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଦରକାର। ୫୪୩ ସଦସ୍ୟ ବିଶିଷ୍ଟ ଲୋକ ସଭାରେ ଏନ୍‌ଡିଏ ପାଇଁ ୩୬୪ ଭୋଟ ଦରକାର। ଅଷ୍ଟାଦଶ ଲୋକ ସଭାରେ ଏହାର ରହିଛି ମାତ୍ର ୨୯୩ ଆସନ। ସେହିପରି ରାଜ୍ୟ ସଭାରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ ଲାଗି ୧୬୪ ଭୋଟ ଦରକାର। କିନ୍ତୁ ଏନ୍‌ଡିଏର ଏବେ ରହିଛି ୧୨୧ ସିଟ୍‌। ତେଣୁ ଏହି ନୀତିକୁ ଗୃହୀତ କରିବା ଲାଗି ଅଣ-ଏନ୍‌ଡିଏର ସହାୟତା ନେବାକୁ ପଡ଼ିବ। ଅତଏବ ଖୁବ୍‌ ଶୀଘ୍ର ସମ୍ବିଧାନ ସଂଶୋଧନ କରାଯାଇ ଏକକାଳୀନ ନିର୍ବାଚନ କରାଇବା ଏତେ ସହଜ ଓ ଯୁକ୍ତିଯୁକ୍ତ ମନେହେଉ ନାହିଁ।

ରିପୋର୍ଟ: ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?