ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରୁଛନ୍ତି। ଏହି ରାୟଗୁଡ଼ିକୁ ବିଶ୍ଳେଷଣ କରି ରାଜ୍ୟର ଏସ୍‌ପି ଓ ଥାନାଗୁଡ଼ିକୁ ଅବଗତ କରାଇବାର ଦାୟିତ୍ୱ ରାଜ୍ୟ ପୋଲିସ ବିଭାଗର ମାନବାଧିକାର ସୁରକ୍ଷା ସେଲ ଉପରେ ନ୍ୟସ୍ତ ରହିଛି। ଏହାଦ୍ୱାରା ତଳସ୍ତରର ପୋଲିସ ଅଧିକାରୀମାନେ ଅଦାଲତଙ୍କ ରାୟ ଅନୁଯାୟୀ ଲୋକଙ୍କ ସହ ବ୍ୟବହାର କରିବା ସହ ଆଇନସମ୍ମତ ଢଙ୍ଗରେ ତଦନ୍ତ କରିପାରିବେ।

ମାତ୍ର ଅନେକ ଗୁରୁତ୍ୱପୂର୍ଣ୍ଣ କୋର୍ଟ ରାୟ ସମ୍ପର୍କରେ ତଦନ୍ତ କାର୍ଯ୍ୟରେ ନିୟୋଜିତ ପୋଲିସ ଅଧିକାରୀମାନେ ଏବେ ସୁଦ୍ଧା ଅବଗତ ନଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ତଥ୍ୟ ଜାଣିବା ପାଇଁ କଟକସ୍ଥିତ ରାଜ୍ୟ ମାନବାଧିକାର ସୁରକ୍ଷା ସେଲ କାର୍ଯ୍ୟାଳୟକୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗାଯାଇଥିଲା।

ତେବେ ଏହାର ଉତ୍ତରରେ ମାନବାଧିକାର ସୁରକ୍ଷା ସେଲର ଜନସୂଚନା ଅଧିକାରୀ ସୌଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ ପତ୍ର ସଂଖ୍ୟା ୩୩୩୮, ତାରିଖ ୯/୬/୨୦୨୬ରେ ଜଣେ ସୂଚନା ଅଧିକାର କର୍ମୀଙ୍କୁ ଜଣାଇଛନ୍ତି ଯେ, କୋର୍ଟଙ୍କ ରାୟ ପବ୍ଲିକ ଡୋମେନରେ ଉପଲବ୍ଧ ଥିବାରୁ ବିଭିନ୍ନ ମାମଲାର ତଦନ୍ତକାରୀ ପୋଲିସ ଅଧିକାରୀମାନେ ନିଜେ ଏହା ଜାଣିପାରିବେ।

ଏପରି ଉତ୍ତରକୁ ନେଇ ମାନବାଧିକାର ସୁରକ୍ଷା ସେଲର ଭୂମିକା ଓ ଦାୟିତ୍ୱ ନେଇ ପ୍ରଶ୍ନ ଉଠିଛି। କାରଣ, ତଳସ୍ତରରେ କାର୍ଯ୍ୟରତ ପ୍ରତ୍ୟେକ ତଦନ୍ତକାରୀ ଅଧିକାରୀ ନିୟମିତ ଭାବେ ସମସ୍ତ ନୂତନ କୋର୍ଟ ରାୟ ଅଧ୍ୟୟନ କରିବା ସମ୍ଭବ ହୋଇ ନ ଥାଏ। ଏଭଳି ସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ରାୟଗୁଡ଼ିକୁ ସରକାରୀ ଭାବେ ତଳସ୍ତରକୁ ପହଞ୍ଚାଇବା ଅଧିକ ଜରୁରୀ ବୋଲି ମତ ପ୍ରକାଶ ପାଉଛି।

ଅଭିଯୋଗ ଅନୁଯାୟୀ, ଏବେ ସୁଦ୍ଧା ପୋଲିସ ଅଧିକାରୀମାନେ ଅନେକ ମାମଲାର ତଦନ୍ତ ପୁରୁଣା ଢଙ୍ଗରେ କରି ଚାଲିଛନ୍ତି। ନିକଟରେ ସୁପ୍ରିମକୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ୭ ବର୍ଷରୁ କମ ଦଣ୍ଡ ଥିବା ଅପରାଧ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ନକରିବା ଓ ଆଇନ ଅନୁଯାୟୀ ନୋଟିସ ପ୍ରଦାନ ସମ୍ପର୍କରେ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ରାୟ ସମ୍ପର୍କରେ ତଳସ୍ତରର ପୋଲିସ ଅଧିକାରୀମାନେ ସ୍ପଷ୍ଟ ଭାବେ ଅବଗତ ରହିବା ଆବଶ୍ୟକ।

ସେହିପରି ୨୦୨୫ ମସିହା ଏପ୍ରିଲ ମାସରେ ୪୨ ମୌଜା ଥାନାରେ ତଫସିଲଭୁକ୍ତ ଜନଜାତି ଓ ଜାତି ସମ୍ପର୍କିତ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଅନୁଯାୟୀ, ଯାହାଙ୍କ ବିରୋଧରେ ଜାତିଆଣ ଅପଶବ୍ଦ ବ୍ୟବହାର କରାଯାଇଥିଲା, ସେହି ବ୍ୟକ୍ତି କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଥାନାରେ ଅଭିଯୋଗ କରିନଥିଲେ। ଘଟଣା ସମ୍ପର୍କରେ ଶୁଣିଥିବା କିଛି ବ୍ୟକ୍ତିଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା।

ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ସୁପ୍ରିମକୋର୍ଟଙ୍କ ରାୟ ଓ ଆଇନଗତ ପ୍ରମାଣ ଉପସ୍ଥାପନ କରିଥିଲେ ମଧ୍ୟ ତତ୍କାଳୀନ ଥାନା ଅଧିକାରୀ ଏହାକୁ ଗ୍ରହଣ କରିବାକୁ ମନା କରିଥିବା ଅଭିଯୋଗ ହୋଇଛି। ଏହାର ମୁଖ୍ୟ କାରଣ ଭାବେ ସମ୍ପୃକ୍ତ କୋର୍ଟ ରାୟ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ତଳସ୍ତରକୁ ଠିକ ସମୟରେ ପହଞ୍ଚାଯାଇନଥିବାକୁ ଦର୍ଶାଯାଇଛି।

ଶେଷରେ ସୂଚନା ଅଧିକାର ଆଇନ ବଳରେ କୋର୍ଟଙ୍କ ରାୟଗୁଡ଼ିକୁ ପୋଲିସ ବିଭାଗର କେଉଁ ସେକ୍ସନ ତଳସ୍ତରର ପୋଲିସ ଅଧିକାରୀଙ୍କୁ ଅବଗତ କରାଇଥାଏ, ସେ ସମ୍ପର୍କରେ ମଧ୍ୟ ତଥ୍ୟ ମଗାଯାଇଥିଲା।

ବିଭିନ୍ନ ଫୌଜଦାରୀ ମାମଲାର ସମୀକ୍ଷା କରି ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ନୂତନ ଓ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରୁଛନ୍ତି। ଏଭଳି ରାୟଗୁଡ଼ିକୁ ରାଜ୍ୟ ପୋଲିସର ମାନବାଧିକାର ସୁରକ୍ଷା ସେଲ ଥାନାସ୍ତର ପର୍ଯ୍ୟନ୍ତ ଠିକ ସମୟରେ ଅବଗତ ନକରାଇଲେ ସାଧାରଣ ଲୋକେ ଆଇନର ସୁଫଳ ଓ ତ୍ୱରିତ ନ୍ୟାୟ ପାଇବାରୁ ବଞ୍ଚିତ ହେବାର ଆଶଙ୍କା ରହିଛି।

 

Dharitri – Odisha’s No.1 Odia Daily

 

Share