ନୟାଗଡ଼,୨୨।୬(ଲୋକନାଥ ମିଶ୍ର):ନୟାଗଡ଼ ଜିଲା ଶରଣକୂଳ ଥାନାର ପୂର୍ବତନ ଆଇଆଇସି ସୁଜିତ କୁମାର ଦାସ ନିଲମ୍ବିତ। ଆଇଆଇସି ସୁଜିତ ଦାସଙ୍କୁ ନିଲମ୍ବନ କଲେ ଡିଜିପି। ଆଇଆଇସିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ଜଣେ ମହିଳା।
ପ୍ରକାଶ ଯେ, ଖଣ୍ଡପଡାର ପୂର୍ବତନ ଏସଡିପିଓ ମଦନ ମୋହନ ପ୍ରଧାନ ମହିଳାଙ୍କୁ ଫେବର ମାଗି ନିଲମ୍ବିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଶରଣକୁଳ ଥାନା ଆଇଆଇସି ସୁଜିତ କୁମାର ଦାସ ବଳାତ୍କାର ଅଭିଯୋଗରେ ପୋଲିସ ମୁଖ୍ୟାଳୟକୁ ବଦଳି ହେବାପରେ ଏବେ ନିଲମ୍ବିତ ହୋଇଛନ୍ତି। କିଛି ଦିନ ତଳେ ଶରଣକୁଳ ଥାନା ଗୋଡିପଡା ଫାଣ୍ଡି ଅଞ୍ଚଳର ତାଙ୍କ ପରିବାର ଓ ଗାଁ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଏନେଇ ମହିଳା ଓ ତାଙ୍କ ପରିବାର ନାମରେ ଶରଣକୁଳ ଥାନାରେ କେଶ ହୋଇଥିଲା। ଆଇଆଇସି ମହିଳାଙ୍କୁ କେଶରେ ସହଯୋଗ କରିବାକୁ କହି ଫୋନ ନମ୍ବର ନେଇଥିଲେ। ପରେ ଫୋନରେ ଭିଡିଓ କଲ, ଅଶ୍ଳୀଳ ମେସେଜ, ଫଟୋ ଓ ଅଶ୍ଳୀଳ କଥା ପଠାଇଥିଲେ। ଏପରିକି ନିଜ ଭଡା ଘରକୁ ନେଇ ଜୋର ଜବରଦସ୍ତ ମହିଳାଙ୍କୁ ବଳାତ୍କାର କରିଥିବା ଏସ୍ପିଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଆଇଆଇସିଙ୍କର ବଦଳି ହୋଇ ତଦନ୍ତ ହୋଇଥିଲା। ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ପକ୍ଷରୁ ତଦନ୍ତ ରିପୋର୍ଟ ଡିଜିପିଙ୍କୁ ଦିଆଯାଇଥିଲା।