ଲକ୍‌ଡାଉନ୍‌ରେ ପୋଲିସ ହିଂସ୍ର

ଉନ୍ନାଓ, ୨୩।୫: ଲକ୍‌ଡାଉନ୍‌ ସମୟରେ ଜୀବନ ଜୀବିକା ବିପଦରେ ପଡ଼ିଥିବାବେଳେ ପୋଲିସ ବର୍ବରତା ସୀମା ଟପୁଛି। ଭାଜପା ଶାସିତ ଉତ୍ତରପ୍ରଦେଶର ଉନ୍ନାଓରେ ଜଣେ ୧୮ ବର୍ଷୀୟ ପରିବା ବିକାଳିଙ୍କୁ ପୋଲିସ ପିଟି ହତ୍ୟା କରିଛି। ପୋଲିସ ତା’ର ବ୍ରିଟିଶ୍‌ ଅମଳର ଅତ୍ୟାଚାର ମନୋଭାବକୁ ଯେତେବେଳେ ସୁଯୋଗ ପାଉଛି ଦେଖାଇ ପାରୁଛି ବୋଲି ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।
ଉତ୍ତରପ୍ରଦେଶର ଉନ୍ନାଓ ଜିଲାରେ କୋଭିଡ୍‌-୧୯ କର୍ଫ୍ୟୁ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଜଣେ ୧୮ ବର୍ଷୀୟ ପରିବା ବ୍ୟବସାୟୀଙ୍କୁ ପୋଲିସ ନିର୍ଧୂମ ଭାବେ ପିଟିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ସମ୍ପୃକ୍ତ ଦୁଇଜଣ କନ୍‌ଷ୍ଟେବଲଙ୍କୁ ନିଲମ୍ବନ କରାଯିବା ସହ ଜଣେ ହୋମଗାର୍ଡଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଏଥିସହ ସେମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି।
ଉନ୍ନାଓ ଜିଲାର ବାଙ୍ଗରମାଉ ଅନ୍ତର୍ଗତ ଭାଟପୁରୀ ଅଞ୍ଚଳରେ ଶୁକ୍ରବାର ଅପରାହ୍ନରେ ଫୈସଲ ହୁସେନ ତାଙ୍କ ଘର ନିକଟରେ ପରିବା ବିକ୍ରି କରୁଥିଲେ। ସେ କରୋନା କର୍ଫ୍ୟୁକୁ ଉଲ୍ଲଂଘନ କରିଥିବାରୁ କନ୍‌ଷ୍ଟେବଳ ବିଜୟ ଚୌଧୁରୀ, ସୀମାବତ ଏବଂ ହୋମଗାର୍ଡ ସତ୍ୟପ୍ରକାଶ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପରେ ସେମାନେ ଫୈସଲଙ୍କୁ ବାଙ୍ଗରମାଉ ଥାନାକୁ ନେଇଯାଇ ପୁଣି ମାଡ଼ ମାରିବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ତାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ପୋଲିସ ବର୍ବରତା ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଫୈସଲଙ୍କ ପରିବାରକୁ ସମସ୍ତ ସହାୟତା ଯୋଗାଇ ଦିଆଯିବା ସହ ଘଟଣାର ନିରପେକ୍ଷ ତଦନ୍ତ କରାଯିବ ବୋଲି ଏଏସ୍‌ପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପ୍ରତିଶ୍ରୁତି ଦେବା ପରେ ଅବରୋଧ ହଟିଥିଲା। ଅପରାଧୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସମେତ ଫୈସଲଙ୍କ ପରିବାରର ଜଣକୁ ଚାକିରି ଓ କ୍ଷତିପୂରଣ ଲାଗି ଦାବି ହୋଇଛି। ଅନ୍ୟପକ୍ଷରେ ହୃଦ୍‌ଘାତରେ ଫୈସଲଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଇଛି।

Share