ଆକ୍ରମଣକାରୀଙ୍କ ଗିରଫ ପାଇଁ ପୋଲିସ ଉପରେ ଚାପ

କଲମ୍ବୋ,୧୬ା୫: ଗତ ସପ୍ତାହରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀଙ୍କ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା ରାଜପାକ୍‌ସେ ପରିବାରର ବିଶ୍ୱସ୍ତବାଦୀଙ୍କୁ ଗିରଫ କରିବା ପାଇଁ ଶ୍ରୀଲଙ୍କାରେ ପୋଲିସ ଉପରେ ସୋମବାର ଚାପ ପଡ଼ିଛି। ଏହି ହିଂସାରେ ୯ ଜଣଙ୍କର ମୃତ୍ୟୁ ହେବା ପରେ ପୋଲିସ ବିଭିନ୍ନ ଅଭିଯୋଗରେ ୨୦୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି। ଏହି ସଂଘର୍ଷ ଯୋଗୁ ଗତ ସୋମବାରଠାରୁ ଦେଶରେ କର୍ଫ୍ୟୁ ଚାଲିଛି। କର୍ଫ୍ୟୁ ଉଲ୍ଲଂଘନ, ଜନସାଧାରଣଙ୍କ ଉପରେ ଆକ୍ରମଣ ତଥା ସରକାରୀ ତଥା ବେସରକାରୀ ସମ୍ପତ୍ତି ନଷ୍ଟ ହେତୁ ପୋଲିସ ଆସନ୍ତା ୯ ତାରିଖରୁ ପ୍ରାୟ ୨୩୦ ଜଣଙ୍କୁ ଗିରଫ କରିଛି।

ଯୁବ ଓକିଲ ସଂଘର ନୁଓ୍ବାନ ବୋପେଜ କହିଛନ୍ତି, ରାଜନେତାଙ୍କ ଉପରେ ଆକ୍ରମଣ କରାଯାଇ ୨୦୦ରୁ ଅଧିକ ଲୋକଙ୍କୁ ପୋଲିସ ଗିରଫ କରିଛି। ଆମେ ଏଭଳି ହିଂସାକୁ ନିନ୍ଦା କରୁଛୁ। କିନ୍ତୁ ସରକାରଙ୍କ ସମର୍ଥିତ ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ସେମାନେ ତତ୍ପର ନୁହନ୍ତି। ତଦନ୍ତ ତ୍ୱରାନ୍ବିତ କରିବାକୁ ଆଟର୍ଣ୍ଣି ଜେନେରାଲ ମଧ୍ୟ ପୋଲିସକୁ କହିଛନ୍ତି।

ସୂଚନାଯୋଗ୍ୟ, ମେ’ ୯ରେ ରାଷ୍ଟ୍ରପତି ଗୋତାବାୟା ରାଜପାକ୍‌ସେ ଏବଂ ତାଙ୍କ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେଙ୍କ ଇସ୍ତଫା ଦାବିରେ ଏକ ସରକାରୀ ସମର୍ଥିତମାନେ ବିକ୍ଷୋଭକାରୀଙ୍କ ଉପରେ ଆକ୍ରମଣ କରିଥିଲେ।

Share