ଅମାନିଆଙ୍କୁ ସାବାଡ୍‌ କଲା ପୋଲିସ

ସଜନାଗଡ଼, ୪।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି କଚେରୀ ବଜାରରେ ସୋମବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ପୋଲିସ ପକ୍ଷରୁ ମାସ୍କ ଚେକିଂ ଚାଲିଥିବା ବେଳେ କେତେଜଣ ଅମାନିଆ ଯୁବକ କୋଭିଡ ନିୟମ ଊଲ୍ଲଘଂନ କରି ଖୁଲମଖୁଲା ବୁଲୁଥିବା ବେଳେ ଦେଖିବାକୁ ମିଳିଥିଲା। ଏହା ଦେଖି ପୋଲିସ ତାଗିଦ୍‌ କରିବା ସହ ଫାଇନ କାଟିବାରୁ ଯୁବକମାନେ ଓଲଟା ନାଲିଆଖି ଦେଖାଇ ଯୁକ୍ତିତର୍କ କରିଥିଲେ। ଆଇଆଇସି ପ୍ରଭଞ୍ଜନ ବେହେରା ପହଞ୍ଚିଯିବାରୁ ଉକ୍ତ ଯୁବକମାନେ ଦୌଡି ପଳାଇଯାଉଥିଲେ। ପୋଲିସ ୫ଜଣ ଅମାନିଆଙ୍କୁ ଧରି ଥାନାକୁ ଆଣି ଅଟକ ରଖିଛି। ସେମାନଙ୍କର ଅନ୍ୟ ୪ଜଣ ସହଯୋଗୀଙ୍କୁ ଥାନାରେ ଅଟକ ରଖାଯାଇଥିବା ନୀଳଗିରି ସବ୍‌ଇନ୍ସପେକ୍ଟର ଶ୍ରୀ ଜୟସିଂହ ସୂଚନା ଦେଇଛନ୍ତି।
ମହାମାରୀ କରୋନା ଭୟଙ୍କର ରୂପ ଧାରଣ କରିଥିବାରୁ ଚାରିଆଡେ ମାସ୍କ ଚେକିଂ ଜୋରଦାର କରାଯାଇଛି। ସନ୍ଧ୍ୟାରେ ନୀଳଗିରି ଥାନାର ସବ୍‌ଇନ୍ସପେକ୍ଟର ବାସୁଦେବ ଜୟସିଂହ କଚେରି ବଜାରରେ ମାସ୍କ ଚେକିଂ କରୁଥିବା ବେଳେ ବାଲେଶ୍ୱର ଅଞ୍ଚଳର ୫ରୁ ୬ଜଣ ଯୁବକ ମୁହଁରେ ମାସ୍କ ନ ପିନ୍ଧି ମଦ୍ୟପାନ କରି ବୁଲୁଥିଲେ। ପୋଲିସ ଫାଇନ୍‌ କାଟିବାରୁ ତୁମୁଳକାଣ୍ଡ ଘଟିଥିଲା। ଏପରିକି ଯୁବକମାନେ ପାଲଟା ପୋଳିସକୁ ନାଲି ଆଖି ଦେଖାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ପ୍ରାୟ ୪୫ମିନିଟ୍‌ ଧରି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହିଥିଲା। ପରେ ଆଇଆଇସି ବେହେରା ସଦଳବଳେ ପହଞ୍ଚି ଅମାନିଆଙ୍କୁ ସାବାଡ୍‌ କରିଥିଲେ। ଯୁବକମାନଙ୍କ ଏକ ଚାରିଚକିଆ ଗାଡ଼ି (ନଂ.ଓଡ଼ି୦୧ଜି-୪୭୯୬) ଜବତ କରାଯାଇଛି।