ଉଦ୍‌ଘାଟନ ହୋଇପାରୁନି ସିଆର୍‌ଆର୍‌ଆଇ ଥାନା

କଟକ ଅଫିସ,୧୨ା୮: କଟକ ବିଦ୍ୟାଧରପୁର ନିକଟ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (ସିଆର୍‌ଆର୍‌ଆଇ) ଥାନାର ନୂତନ କୋଠା ପ୍ରାୟ ୮ ମାସ ହେବ ନିର୍ମାଣ ସରିଛି। ଉକ୍ତ କୋଠାରେ ଥାନାର ବୋର୍ଡ ଲଗାଯାଇଛି। ହେଲେ ଏବେବି ସେଠାରେ ଫାଣ୍ଡି କାର୍ଯ୍ୟ ଚାଲିଛି। ଫାଣ୍ଡିରୁ ଥାନାକୁ ଉନ୍ନୀତ ହେବାର ସ୍ବପ୍ନ ଏଯାବତ୍‌ ପୂରଣ ହୋଇପାରିଲା ନାହିଁ। ଯାହାକୁ ନେଇ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ମହଲରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଦିନକୁ ଦିନ କଟକ ସହରରେ ଚୋରି, ଡକାୟତି, ରାହାଜାନି ଭଳି ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଏହା ଉପରେ ରୋକ୍‌ ଲଗାଇବା ପାଇଁ ଅଧିକ ଥାନା ସ୍ଥାପନର ଆବଶ୍ୟକତା ରହିଛି। ଏହି ଲକ୍ଷ୍ୟରେ ଚାଉଳିଆଗଞ୍ଜ ଥାନା ଅଧୀନ ସିଆର୍‌ଆର୍‌ଆଇ ପରିସରରେ କାର୍ଯ୍ୟ କରୁଥିବା ଫାଣ୍ଡିକୁ ଥାନାରେ ପରିଣତ କରିବାକୁ ୨୦୧୮ରେ ନିଷ୍ପତ୍ତି ହୋଇଥିଲା। ଚାଉଳିଆଗଞ୍ଜ ଥାନା ଅଞ୍ଚଳ ବ୍ୟାପକ ହୋଇଥିବାରୁ ଅପରାଧ ନିୟନ୍ତ୍ରଣ ପାଇଁ ଏହା ଉପରେ ବହୁ ଚାପ ରହୁଥିଲା। ପୁଣି ବିଦ୍ୟାଧରପୁର ଅଞ୍ଚଳର ମାମଲାଗୁଡିକ ଏଠାକୁ ଫାଣ୍ଡି ଜରିଆରେ ଆସୁଥିଲା। ଫଳରେ ଲୋକମାନଙ୍କୁ ଉଚିତ୍‌ ନ୍ୟାୟ ଦେବା ପାଇଁ ପୋଲିସ ପକ୍ଷରେ କଷ୍ଟକର ହୋଇପଡୁଥିଲା। ଅପରପକ୍ଷେ ଆପରାଧିକ ମାମଲାରେ ବିଦ୍ୟାଧରପୁର ଅଞ୍ଚଳରୁ ଲୋକମାନେ ଚାଉଳିଆଗଞ୍ଜ ଥାନାକୁ ଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେଣୁ ତ୍ୱରିତ୍ୱ ନ୍ୟାୟ ପାଇବା ଓ ଅପରାଧ ନିୟନ୍ତ୍ରଣ ପାଇଁ ସ୍ଥାନୀୟ ଲୋକମାନେ ବିଦ୍ୟାଧରପୁରରେ ଏକ ଥାନା ପ୍ରତିଷ୍ଠା ନିମନ୍ତେ ଦାବି କରିଆସୁଥିଲେ। ଶେଷରେ ଲୋକଙ୍କ ଦାବିକୁ ପ୍ରାଧାନ୍ୟ ଦେଇ ବିଭାଗ ପକ୍ଷରୁ ସିଆର୍‌ଆର୍‌ଆଇ ଫାଣ୍ଡିକୁ ଥାନାରେ ପରିଣତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ(ସିଆର୍‌ଆର୍‌ଆଇ) ବାହାରେ ଥାନାର ନିଜସ୍ବ କୋଠା ନିର୍ମାଣ ନିମନ୍ତେ ଅନୁଦାନ ଯୋଗାଇ ଦିଆଯାଇଥିଲା। ଇତିମଧ୍ୟରେ ୮ ମାସ ହେବ କୋଠା ନିର୍ମାଣ ସରିଥିଲେ ମଧ୍ୟ ଏଠାରେ ଥାନା କାର୍ଯ୍ୟକ୍ଷମ ହୋଇପାରିନାହିଁ। ଅଦ୍ୟାବଧି ଚାଉଳିଆଗଞ୍ଜ ଥାନା ଅଧୀନରେ ଥିବା ଉକ୍ତ ଫାଣ୍ଡି ନୂତନ କୋଠାରେ ଚାଲିଛି। ତୁରନ୍ତ ଏଠାରେ ଥାନାକୁ କାର୍ଯ୍ୟକ୍ଷମ କରିବା ପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ କଟକ ଡିସିପି ପିନାକ ମିଶ୍ର କହିଛନ୍ତି, କୋଠା ନିର୍ମାଣ ସହ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ଖୁବ୍‌ଶୀଘ୍ର ଥାନା ଉଦ୍‌ଘାଟନ ହେବ। ଉକ୍ତ ଥାନାରେ ଜଣେ ଇନ୍ସପେକ୍ଟର, ୨ ଜଣ ସବ୍‌ଇନ୍ସପେକ୍ଟେର, ୪ ଜଣ ଏଏସ୍‌ଆଇଙ୍କ ସମେତ ଅନ୍ୟ କର୍ମଚାରୀ ନିଯୁକ୍ତି ପାଇଁ ପ୍ରକ୍ରିୟା ଶେଷ ହୋଇଛି।