ଭୁବନେଶ୍ୱର,୧୪ା୮(ତ୍ରିନାଥ ମହାନ୍ତି): ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ବିଭିନ୍ନ କେନ୍ଦ୍ରୀୟ ଫୋର୍ସ ଲାଗି ପୋଲିସ ସେବା ପୁରସ୍କାର ଓ ପଦକ ଘୋଷଣା କରାଯାଇଛି। ଦେଶରେ ପୋଲିସ ସେବା ବର୍ଗରେ ମୋଟ ୯୬୧ଜଣ ପଦକ ପାଇବାକୁ ମନୋନୀତ ହୋଇଥିବାବେଳେ ଓଡ଼ିଶାର ୧୭ ପୋଲିସ ଅଧିକାରୀ ଏବଂ କର୍ମଚାରୀ ରହିଛନ୍ତି। ଏମାନଙ୍କ ମଧ୍ୟରେ ସାହସିକତା ପାଇଁ ୫ଜଣଙ୍କୁ ‘ପୋଲିସ ପଦକ’, ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ‘ରାଷ୍ଟ୍ରପତି ପୋଲିସ ପଦକ’ ଏବଂ ପ୍ରଶଂସନୀୟ ସେବା କାର୍ଯ୍ୟ ପାଇଁ ୧୦ ଜଣଙ୍କୁ ‘ପୋଲିସ ପଦକ’ରେ ସମ୍ମାନିତ କରାଯିବ।
ସବ୍ଇନ୍ସପେକ୍ଟର ମନ୍ମଥ କୁମାର ମହାପାତ୍ର, ହାବିଲଦାର ନିରାକାର ଭୁଏ, କମାଣ୍ଡୋ ସନ୍ତୋଷ ଗୁରୁଙ୍ଗ, ସୁମନ ପୁନ ଓ ସୁରେଶ ଚନ୍ଦ୍ର ପୁତା ‘ପୋଲିସ ପଦକ’ ପାଇବେ। ସେହିପରି ‘ରାଷ୍ଟ୍ରପତି ପୋଲିସ ପଦକ’ ପାଇବାକୁ ଆଇପିଏସ୍ ଅଫିସର ସଞ୍ଜୀବ ପଣ୍ଡା ଓ ଡିଏସ୍ପି ସ୍ମିତାରାଣୀ ମହାନ୍ତିଙ୍କ ନାମ ଘୋଷଣା କରାଯାଇଛି। ପ୍ରଶଂସନୀୟ ସେବା କାର୍ଯ୍ୟ ପାଇଁ ପୋଲିସ ପଦକ ପାଇବାକୁ ମନୋନୀତ ୧୦ ଜଣ ହେଲେ ଡିଏସ୍ପି ମନୋରଞ୍ଜନ ପାଇକରାୟ, ସୁରେଶ କୁମାର ବଳ, ଇନ୍ସପେକ୍ଟର ଗୀତାଞ୍ଜଳି ପଣ୍ଡା, ଡେପୁଟି କମାଣ୍ଡାଣ୍ଟ ଭବେଶ କୁମାର ନାୟକ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପରେଶ କୁମାର ମିନତୀ ନନ୍ଦନ ପତି, କନ୍ଷ୍ଟେବଲ ଶ୍ୟାମଳି ବିଶ୍ୱାସ, ସବ୍ଇନ୍ସପେକ୍ଟର ବରୁଣ କୁମାର ନାୟକ, ହାବିଲଦାର ସୁବାସ ଚନ୍ଦ୍ର ତ୍ରିନାଥ ଗୌଡ, କନ୍ଷ୍ଟେବଲ ମୁସ୍ତାକ ଅଲ୍ଲି ଖାନ୍ ଓ ହାବିଲଦାର ପ୍ରଶାନ୍ତ କୁମାର ବିଶ୍ବାଳ।