ଦିଗପହଣ୍ଡି/ଚିକିଟି,୪।୧୧(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ପୋଲିସ ଟିମ୍ ଚିକିଟି ପେଣ୍ଠ ଗ୍ରାମର ଏକ ଘରେ ଚଢ଼ାଉ କରିଛି । ବେଆଇନ ଭାବେ ବିକ୍ରି ପାଇଁ ମହଜୁଦ ଥିବା ବିଭିନ୍ନ କମ୍ପାନୀ ନିର୍ମିତ ୫୨ ଟି କିସମର ବାଣ ଜବତ କରିଥିବା ଖବର ମିଳିଛି ।
ଗ୍ରାମର ସୁଦର୍ଶନ ସାହୁଙ୍କ ଘରେ ବେଆଇନ ଭାବେ ବିପୁଳ ପରିମାଣର ବାଣ ମହଜୁଦ ଥିବା ଖବର ପାଇଥିଲା ପୋଲିସ । ମଙ୍ଗଳବାର ଚିକିଟି ଫାଣ୍ଡି ଅଧିକାରୀ ଗୌତମ ସାହୁ ଥାନା ଆଇଆଇସି ବିଶ୍ୱଜିତ ନାୟକଙ୍କୁ ଏନେଇ ଖବର ଦେବା ପରେ ତାଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଟିମ୍ ସୁଦର୍ଶନଙ୍କ ଘରେ ଅତର୍କିତ ଚଢାଉ କରି ବିପୁଳ ପରିମାଣର ବାଣ ଜବତ କରିଥିଲେ । ପରେ ଜବତ ବାଣ ସହ ତାଙ୍କୁ ପୋଲିସ ଥାନାକୁ ଅଣାଯାଇଥିଲା। ବିନା ଲାଇସେନ୍ସରେ ବିକ୍ରି ଉଦ୍ଦେଶ୍ୟରେ ବେଆଇନ ଭାବେ ବିଭିନ୍ନ କମ୍ପାନୀ ନିର୍ମିତ ବାଣ ଓ ହାତ ତିଆରି ଦେଶୀ ବାଣ ଗୁଡ଼ିକୁ ସେ ଘର ଭିତରେ ମହଜୁଦ ରଖିଥିଲେ।
ଜବତ ବାଣ ଗୁଡ଼ିକର ଆନୁମାନିକ ମୂଲ୍ୟ ୨୫ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ଆକଳନ କରାଯାଇଛି । ଏନେଇ ଫାଣ୍ଡି ଅଧିକାରୀ ଥାନାରେ ଏତଲା ଦେବାପରେ ଆଇଆଇସି ମାମଲା ନଂ.୨୮୨/୨୬ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ । ତଦନ୍ତକାରୀ ଅଧିକାରୀ ଏସ.ଆଇ ଅଭିଷେକ ପାଣ୍ଡବ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ)ର ଧାରା – ୩୫(୩) ଅନୁଯାୟୀ ତାଙ୍କୁ ନୋଟିସ ଦେଇ କୋର୍ଟରେ ହାଜର ହେବାକୁ ସର୍ତ୍ତମୂଳକ ଜାମିନରେ ଛାଡିଥିବା ଜଣାପଡିଛି ।