ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର ଭୋପାଳର ଏକ ଅଦାଲତରେ ହାଜର କରାଇଥିଲା। ସ୍ତ୍ରୀ ମୃତ୍ୟୁ ମାମଲାରେ ଜେରା କରିବା ପାଇଁ ସମର୍ଥଙ୍କୁ ପୋଲିସ ୭ ଦିନିଆ ରିମାଣ୍ଡରେ ନେଇଛି। ଶୁଣାଣି ବେଳେ ସଞ୍ଜୟ କୁମାର କୋର୍ଟଙ୍କୁ ଜଣାଇଥିଲେ ଯେ ଅଭିଯୁକ୍ତ ତଦନ୍ତରେ ସହଯୋଗ କରୁନାହାନ୍ତି। ଏନେଇ ୭ ଦିନ ହାଜତକୁ ନେଇ ଜେରା କରିବା ଆବଶ୍ୟକ ରହିଛି। କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି।
ସମର୍ଥ ଶୁକ୍ରବାର ଜବଲପୁର କୋର୍ଟରେ ଆତ୍ମସମର୍ପଣ କରିବାକୁ ଆସିଥିଲେ ମଧ୍ୟ ଅଦାଲତ ଏଥିପାଇଁ ତାଙ୍କୁ ଅନୁମତି ଦେଇ ନ ଥିଲେ। ଏହି ସମୟରେ ପୋଲିସ ଟିମ୍ ପହଞ୍ଚି ତାଙ୍କୁ ଗିରଫ କରିଥିଲା। ମାମଲାର ସହଅଭିଯୁକ୍ତ ସମର୍ଥଙ୍କ ମା’ ତଥା ପୂର୍ବତନ ଜିଲା ଜଜ୍ ଗିରିବାଳା ସିଂଙ୍କୁ ପୋଲିସ ୩ ଥର ନୋଟିସ୍ ପଠାଇଥିଲେ ମଧ୍ୟ ସେ ଏହା ପାଇ ନ ଥିବା କହିଛନ୍ତି।
ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ଗତବର୍ଷ ଡିସେମ୍ବରରେ ସମର୍ଥଙ୍କୁ ବିବାହ କରିଥିବାବେଳେ ଗତ ୧୨ ତାରିଖରେ ଶାଶୁଘରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଶାଶୁଘରେ ତାଙ୍କୁ ଯୌତୁକ ନିର୍ଯାତନା ଦିଆଯିବା ସହ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶ ସରକାର ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିଛନ୍ତି।