ଉଦଳା,୨୫।୩(ସନ୍ତୋଷ ବାଞ୍ଛିନୀ): ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ଘରୁ ମିଳିଲା ବିଡା ବିଡା ଟଙ୍କା ଆଉ ଚୋରା ବିଦେଶୀ ମଦ। ଡ୍ରଗ୍ସ ବେପାର ସନ୍ଦେହରେ ପୋଲିସ ଚଢ଼ାଉ କରିଥିବାବେଳେ ଘରୁ ମିଳିଲା ବିଦେଶୀ ମଦ ଓ ନଗଦ ଲକ୍ଷ ଲକ୍ଷ ଟଙ୍କା। ଯାହାକୁ ଦେଖି ପୋଲିସ ଆଖି ଟେରା ହୋଇଗଲା। ଉଦଳା ଥାନା ତେଲଦିହୁଡି ଗ୍ରାମରେ ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରିଥିଲା। ଗ୍ରାମର ଦେବେନ୍ଦ୍ର ବେହେରା ଡ୍ରଗ୍ସ କାରବାର କରୁଥିବା ସନ୍ଦେହରେ ପୋଲିସ ଚଢ଼ାଉ କରିଥିବା ବେଳେ ଡ୍ରଗ୍ସ ବଦଳରେ ଘରୁ ବିପୁଳ ପରିମାଣର ବିଦେଶୀ ମଦ ମିଳିଛି। ବିପୁଳ ବିଦେଶୀ ମଦ ଜବତ କରିବା ପରେ ଘର ଭିତରେ ପେଟିରେ ଟଙ୍କା ଲୁଚାଇ ରଖିଥିଲେ ଦେବେନ୍ଦ୍ର। ଯାହାକୁ ଦେଖି ପୋଲି ତାଜୁବ ହୋଇଯାଇଛି। ପୋଲିସ ତାଙ୍କ ଘରୁ ନଗଦ ୬ ଲକ୍ଷ ୬୦ ହଜାରରୁ ଅଧିକ ଟଙ୍କା ଜବତ କରିଛି। ତେବେ ଅନେକ ଖୋଜାଖୋଜି ପରେ ମଧ୍ୟ ପୋଲିସ ଡ୍ରଗ୍ସ ପାଇ ପାରି ନ ଥିଲା। ହେଲେ ଏତେ ପରିମାଣର ଟଙ୍କା ଜବତ ହୋଇଥିବାରୁ ଦେବେନ୍ଦ୍ର ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି। ପୋଲିସ ଦେବେନ୍ଦ୍ରଙ୍କୁ ଗିରଫ କରି ଥାନାରେ ଅଧିକ ପଚରାଉଚରା ଜାରି ରଖିଛି।

