ଜୁଆଆଡ୍ଡା, ଅବୈଧ ମଦ କାରବାର ଉପରେ ପୋଲିସର ଚଢ଼ାଉ: ୧୧ ଗିରଫ

ପାରଳାଖେମୁଣ୍ଡି,୧୪।୬ (ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଜୁଆ ଖେଳ ଓ ଅବୈଧ ମଦ କାରବାର ସହ ଜଡ଼ିତ ମୋଟ ୧୧ ଜଣଙ୍କୁ ଗିରଫ କରାଯାଇଛି। ଏହି ଅଭିଯାନ ସମୟରେ ନଗଦ ଟଙ୍କା, ମୋବାଇଲ ଫୋନ, ଦେଶୀ ମଦ ଓ ବିୟର ଜବତ କରାଯାଇଛି।

ପୋଲିସ ସୂଚନା ଅନୁଯାୟୀ, ସେରିସାହି ଅଞ୍ଚଳରେ ରାସ୍ତାକଡ଼ରେ ଚାଲିଥିବା ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରାଯାଇ ୮ ଜଣଙ୍କୁ ଧରାଯାଇଥିଲା। ଘଟଣାସ୍ଥଳରୁ ୨,୩୩୫ ଟଙ୍କା ନଗଦ ଟଙ୍କା ସହ ୮ଟି ମୋବାଇଲ ଫୋନ ଜବତ କରାଯାଇଛି। ଏହି ସମସ୍ତଙ୍କ ବିରୋଧରେ ଜୁଆ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ସେହିପରି, ଯାନବାହନ ଯାଞ୍ଚ (ଏମ୍.ଭି. ଚେକିଂ) ବେଳେ ଏକ ମୋଟରସାଇକେଲରେ ୨୦ ଲିଟର ଦେଶୀ ମଦ ପରିବହନ କରାଯାଉଥିବା ସମୟରେ ଦୁଇ ଜଣଙ୍କୁ ଅଟକ ରଖାଯାଇଥିଲା। ପରେ ଜବତ ମଦ ଓ ମୋଟରସାଇକେଲ ସହ ଉଭୟଙ୍କୁ ଗିରଫ କରାଯାଇଛି।

ଅନ୍ୟ ଏକ ଘଟଣାରେ ରେଲିସାହି ଅଞ୍ଚଳରେ ପୋଲିସ ଚଢ଼ାଉ କରି ୧୪ଟି ବିୟର ବୋତଲ ଜବତ କରିଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ବିରୋଧରେ ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି।

ଏହି ସମସ୍ତ ଘଟଣାକୁ ନେଇ ପାରଳାଖେମୁଣ୍ଡି ଥାନାରେ ପୃଥକ ପୃଥକ ମାମଲା ରୁଜୁ କରାଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ଅବୈଧ ଜୁଆ ଓ ମଦ କାରବାର ବିରୋଧରେ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଓ ସ୍ୱତନ୍ତ୍ର ଅଭିଯାନ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Dharitri – Odisha’s No.1 Odia Daily

 

Share