ଏହି ଅପରାଧ ଯୋଗୁ ବିବାହ ବେଦୀରୁ ବରଙ୍କୁ ଉଠାଇ ନେଲେ ପୋଲିସ…

ଜଳନ୍ଧର,୨୬।୪: ପପଞ୍ଜାବରେ କରୋନା ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସପ୍ତାହନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହା ସହିତ ବିବାହ ଉତ୍ସବରେ ୨୦ ଜଣ ଲୋକ ସାମିଲ ହେବାକୁ ନିର୍ଦ୍ଦେଶ ଜାରି ହୋଇଛି। ତେବେ ଜଳନ୍ଧର ଅଞ୍ଚଳରେ ଜଣେ ବର ରାଜ୍ୟ ସରକାରଙ୍କ କରୋନା ମାର୍ଗଦର୍ଶିକାର ଉଲ୍ଳଂଘନ କରିଥିବାରୁ ତାଙ୍କୁ ବିବାହ ମଣ୍ଡପର ବେଦୀରୁ ପୋଲିସ ଉଠାଇ ନେଇଛି। ବିବାହରେ ୧୦୦ରୁ ଅଧିକ ଲୋକ ଯୋଗଦେଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ସେଥିପାଇଁ ବରଙ୍କୁ ଥାନାଙ୍କୁ ଅଣାଯାଇଥିବା ପୋଲିସ କହିଛି। ବରଙ୍କ ସହିତ ତାଙ୍କ ଦାଦାଙ୍କୁ ମଧ୍ୟ ଥାନାକୁ ଅଣାଯାଇଥିବା ଥାନା ଅଧିକାରୀ ମୁକେଶ କୁମାର କହିଛନ୍ତି। ସେମାନଙ୍କ ବିରୋଧରେ ଧାରା ୧୮୮ ଅନୁସାରେ ଏକ ମାମଲା ରୁଜୁ ହୋଇଛି। ପଚରା ଉଚରା ସମୟରେ ବର ଏବଂ ତାଙ୍କ ଦାଦା କହିଛନ୍ତି ଯେ, ସେମାନେ ୨୦ଜଣଙ୍କୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ଏତେ ସଂଖ୍ୟକ ଲୋକ ବିବାହ ମଣ୍ଡପରେ କୁଆଡୁ ଆସିଲେ ତାହା ସେମାନଙ୍କୁ ଅଜଣା। ଥାନାରେ ଦୁଇଘଣ୍ଟା ରହିବା ପରେ ପୋଲିସ ସେମାନଙ୍କୁ ଛାଡିଥିଲେ। ଏହାପରେ ବର ଫେରି ସାତଫେରା ନେବା ସହିତ କନ୍ୟାଙ୍କୁ ଧରି ନିଜ ଘରକୁ ଫେରିଥିଲେ। ଏବେ ଏହି ଘଟଣା ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Share